ଡ୍ରଗ୍ସ ଚାଲାଣ କରିବାକୁ ମନା କରିବାରୁ ନାବାଳକ ମୁହଁରେ ଏସିଡ୍‌ ଢାଳିଲେ ଦୁର୍ବୃତ୍ତ

ଲକ୍ଷ୍ନୌ: ଡ୍ରଗ୍ସ ଚାଲାଣ କରିବାକୁ ରାଜି ନହେବାରୁ ୧୪ ବର୍ଷର ନାବାଳକ ମୁହଁରେ ଏସିଡ୍ ଢାଳି ଦେଇଛନ୍ତି ଦୁର୍ବୃତ୍ତ। ଏବେ ପୀଡ଼ିତ ଜଣଙ୍କ କଥା କହିପାରୁନଥିବା ଜଣାପଡ଼ିଛି। ଉତ୍ତର ପ୍ରଦେଶ ଲକ୍ଷ୍ନୌ ସ୍ଥିତ ବଲରାମପୁର ହସ୍ପିଟାଲରେ ପୀଡ଼ିତ ନାବାଳକ ଏବେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ବୁଧବାର ସଂଧ୍ୟାରେ ଉତ୍ତର ପ୍ରଦେଶର ଫଇଜୁଲାହଗଞ୍ଜ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଗତକାଲି ପୀଡ଼ିତର ପରିବାର ଲୋକେ ଫଇଜୁଲାହଗଞ୍ଜ ସ୍ଥିତ ମଡିଓନ ପୁଲିସ ଷ୍ଟେସନରେ ଏତଲା ଦେବା ପରେ ଏହି ଖବର ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ନାବାଳକ ଜଣକ ବଢ଼େଇ କାମ କରେ। ବୁଧବାର ସକାଳୁ କୌଣସି କାମରେ ସେ ଘରୁ ବାହାରି ଥିଲେ। ହେଲେ ସଂଧ୍ୟା ବେଳେ ଘରକୁ ଆସିବା ବେଳେ ମୁହଁକୁ କପଡ଼ାରେ ବାନ୍ଧି ଫେରିଥିଲେ। ତାଙ୍କଠାରୁ ସବୁ ଜାଣିବା ପରେ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ଯେଉଁଥିରେ ପୀଡିତର ପରିବାର ଲୋକେ ଉଲ୍ଲେଖ କରିଥିଲେ ଯେ ଡ୍ରଗ୍ସ ଚାଲାଣ କାରବାରରେ ସାମିଲ ହେବାକୁ ତିନି ଜଣ ଦୁର୍ବୃତ୍ତ ବାଧ୍ୟ କରିଥିଲେ। କିନ୍ତୁ ତାଙ୍କ ପୁଅ ଏଥିରେ ରାଜି ନ ହେବାରୁ ତିନି ଦୁର୍ବୃତ୍ତ ତାଙ୍କ ମୁହଁରେ ଏସିଡ୍ ଢ଼ାଳିଛନ୍ତି।

ଥାନାରେ ଏସିଡ ଆକ୍ରମଣ ଯୋଗୁ ପୀଡ଼ିତ ନାବାଳକ ଜଣଙ୍କ କିଛି କହିପାରି ନଥିଲା। କିନ୍ତୁ ଠାର ଜରିଆରେ ସେ ଦୁର୍ବୃତ୍ତଙ୍କ ସମ୍ପର୍କରେ ସୂଚନା ଦେବା ପରେ ପୁଲିସ ସ୍ଥାନୀୟ ଯୁବକ ନୁରକୁ ଗିରଫ କରିଛି। ନୁରକୁ ଆଣି ନାବାଳକ ଆଗରେ ହାଜର କରିବା ପରେ ଦୁର୍ବୃତ୍ତଙ୍କ ମଧ୍ୟରେ ନୁର ଥିବା ସ୍ପଷ୍ଟ କରିଛି ପୀଡ଼ିତ। ଏବେ ପୀଡ଼ିତର ବୟାନ ଆଧାରରେ ଏହି ଘଟଣାରେ ସାମିଲ ଥିବା ଅନ୍ୟ ଦୁଇ ଜଣ ଦୁର୍ବୃତ୍ତଙ୍କୁ ପୁଲିସ ଖୋଜୁଛି।

ଏସିଡ ଆକ୍ରମଣ ପଛର ସତ କଣ, ତାହା ଜଣାପଡ଼ି ନାହିଁ। କାରଣ ନୁର ଏହି ଏସିଡ ଆକ୍ରମଣ ଘଟଣାରେ ସାମିଲ ନଥିବା ତଦନ୍ତକାରୀ ଟିମ୍ କହିଛି।