୧୪ ଫୁଟିଆ କୁମ୍ଭୀର ମୁହଁରୁ ଭଉଣୀକୁ ରକ୍ଷା କଲେ ୧୫ ବର୍ଷୀୟ ଭାଇ

ନୂଆଦିଲ୍ଲୀ: ନିଜର ସାହାସିକତା ପାଇଁ ଆଜି ସାରା ବିଶ୍ୱରେ ଜଣେ ୧୫ ବର୍ଷୀୟ ପିଲାକୁ ପ୍ରଶଂସା କରାଯାଉଛି। ବିପଦଜନକ ସ୍ଥିତିରେ ଭୟଭୀତ ନ ହୁଏ ଏବଂ ସଂଯମତା ରକ୍ଷା କରି ଏହି ପିଲା ଜଣକ ଗୋଟିଏ ବିରାଟ କୁମ୍ଭୀର ମୁହଁରୁ ନିଜ ୧୨ ବର୍ଷୀୟ ଭଉଣୀକୁ ରକ୍ଷା କରିବାକୁ ସକ୍ଷମ ହୋଇଛନ୍ତି। ପିଲାଟିର ଏହି ଧୈର୍ଯ୍ୟ ଓ ସାହାସ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ହୋଇଛି।

ଫିଲିପାଇନ୍ସର ପାଲୱାନ ଠାରେ ଥିବା ହ୍ରଦ ନିକଟ ଦେଇ ୧୨ ବର୍ଷୀୟ ହଇନା ଲିସା ଜୋସ ହାବି ତାଙ୍କ ୧୫ ବର୍ଷୀୟ ଭାଇ ହସିମଙ୍କ ସହ ଯାଉଥିଲେ। ସେମାନେ ସେଠାରେ ଥିବା ହ୍ରଦର ନିକଟତର ହେଉଥିବା ବେଳେ ହଠାତ୍‌ ଗୋଟିଏ ୧୪ ଫୁଟ ଲମ୍ବର କୁମ୍ଭୀର ସେମାନଙ୍କ ଉପରକୁ ଲମ୍ଫ ମାରିଥିଲା। ହସିମ ଏଥିରୁ ରକ୍ଷା ପାଇ ଯାଇଥିବା ବେଳେ କୁମ୍ଭୀରଟି ତାଙ୍କ ଭଉଣୀ ଲିସାଙ୍କ ଗୋଡ଼କୁ ଭିଡ଼ି ଧରିଥିଲା।

ଭଉଣୀ ଜୀବନ ବିକଳରେ ଚିତ୍କାର କରୁଥିବା ବେଳେ ହସିମ ସେଥିରେ ଆଦୌ ଧୈର୍ଯ୍ୟ ହରାଇ ନଥିଲେ। ସେ ତୁରନ୍ତ ସେଠାରେ ପଡ଼ିଥିବା ପଥର ଓ ଇଟାଗୁଡ଼ିକୁ କୁମ୍ଭୀର ଉପରକୁ ମାଡ଼ କରିବା ଆରମ୍ଭ କରିଥିଲେ। ହସିମଙ୍କ ଏଭଳି ଆକ୍ରମଣ ଦେଖି କୁମ୍ଭୀରଟି ବାଧ୍ୟ ହୋଇ ତାଙ୍କ ଭଉଣୀଙ୍କ ଗୋଡ଼କୁ ଛାଡ଼ି ଦେଇଥିଲା।

ତେବେ କୁମ୍ଭୀର କାମୁଡ଼ାରେ ଲିସା ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି। ହସିମଙ୍କ ଉପସ୍ଥିତ ବୁଦ୍ଧି ଓ ସାହାସ ଯୋଗୁ ଲିସା ନୂଆ ଜୀବନ ପାଇଥିବା ଏବେ ସମଗ୍ର ବିଶ୍ୱ କହିବା ଆରମ୍ଭ କରିଛି।