ବର୍ଷାରେ ବେହାଲ ଚେନ୍ନାଇ

ଚେନ୍ନାଇ: ଉତ୍ତର-ପୂର୍ବ ମୌସୁମୀ ପ୍ରଭାବରେ ଚେନ୍ନାଇରେ ମୂଷଳ ଧାରାର ବର୍ଷା ଲାଗି ରହିଛି। ମଙ୍ଗଳବାରଠାରୁ ପୁଣି ଅବିଶ୍ରାନ୍ତ ବର୍ଷା ଫଳରେ ଚେନ୍ନାଇ ସହରରେ ସ୍ଥିତି ଜଟିଳ ହେବାରେ ଲାଗିଛି। ପ୍ରବଳ ବର୍ଷା ଯୋଗୁଁ ବୁଧବାର ଚେନ୍ନାଇ ବିମାନ ବନ୍ଦରକୁ ବନ୍ଦ ରଖାଯିବା ସହ ୧୯ଟି ଟ୍ରେନକୁ ବାତିଲ୍ କରିଦିଆଯାଇଛି। ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ଯାନବାହନ ଚଳାଚଳ ଗୁରୁତର ପ୍ରଭାବିତ ହୋଇଛି। ସ୍କୁଲ, କଲେଜ ବନ୍ଦ ରହିଛି। ସହରର ତଳି ଅଞ୍ଚଳ ଜଳାର୍ଣ୍ଣବ ହୋଇପଡ଼ିଥିବାରୁ ଉଦ୍ଧାର କାର୍ଯ୍ୟରେ ସ୍ଥଳ ସେନା, ବାୟୁ ସେନା ଓ ଏନଡିଆରପିଏଫ୍ ଟିମକୁ ମୁତୟନ କରାଯାଇଛି।

ଚେନ୍ନାଇରେ ବର୍ଷା ବିଭୀଷିକା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସହ ଆଲୋଚନା କରିଛନ୍ତି। ଗତ ୧୦୦ ବର୍ଷ ମଧ୍ୟରେ ଏହା ହେଉଛି ଚେନ୍ନାଇ ବର୍ଷାର ସର୍ବାଧିକ ପ୍ରଳୟଙ୍କାରୀ ରୂପ ବୋଲି କୁହାଯାଉଛି। ତେବେ ଏହି ବର୍ଷା ଆହୁରି ୩ରୁ ୪ ଦିନ ବର୍ଷିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ସ୍ଥିତି ଆହୁରି ଗମ୍ଭୀର ହେବା ଆଶଙ୍କା ରହିଛି।

ତେବେ ବିପତ୍ତି ସମୟରେ ସମ୍ପର୍କ ପାଇଁ ଚେନ୍ନାଇ କର୍ପୋରେସନ ପକ୍ଷରୁ ସହାୟତା ଟୋଲ୍ ଫ୍ରି ନମ୍ୱର ଜାରି କରାଯାଇଛି।