ଏ ହେଉଛନ୍ତି ସେହି ୫ ପୋଲିସ୍ ଅଫିସର, ଯାହାଙ୍କ ନାଁ ଶୁଣିଲେ ଥରି ଉଠେ ଅପରାଧୀଙ୍କ ଛାତି

“ବାସ୍ତବ ଜୀବନରେ ସଚ୍ଚୋଟ ପୋଲିସ୍ ଅଫିସରଙ୍କ ଅପେକ୍ଷା ଲାଞ୍ଚୁଆ ଅଫିସରଙ୍କ କଥା ଅଧିକ ଶୁଣିବାକୁ ମିଳେ । ହେଲେ ଥରେ ସଚ୍ଚୋଟ ପୋଲିସ୍‌ ଅଫିସରଙ୍କ କଥା ଆସିଲେ ସେମାନଙ୍କ ସଫଳତାର କାରନାମା ଶୁଣିବାକୁ ଭାରି ଭଲଲାଗେ। ଏଣେ ସେହି ସଚ୍ଚୋଟ ଅଧିକାରୀଙ୍କ କଥା ଶୁଣି ଅପରାଧୀଙ୍କ କଲିଜା ଥରି ଉଠେ । ଏଭଳି ଦୃଶ୍ୟ ଫିଲ୍ମରେ ଆମେ ଅନେକ ଥର ଦେଖିଛେ। କିନ୍ତୁ ବାସ୍ତବ ଜୀବନରେ ଏଭଳି ସଚ୍ଚୋଟ ପୋଲିସ୍‌ ଅଫିସରଙ୍କ ବିଷୟରେ ଆପଣ ଜାଣନ୍ତି କି ? ଯାହାଙ୍କ ନାଁ ଶୁଣିଲେ ଅପରାଧୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଏ। ଭୟରେ ତାଙ୍କ ଛାତି ଥରି ଉଠେ। ନିଜର ଏହି ଦବଙ୍ଗ ଚରିତ୍ର ଲାଗି ଏହି ପୋଲିସ୍‌ ଅଫିସରମାନେ ଅନେକ ଥର ବଦଳି ମଧ୍ୟ ହୋଇଛନ୍ତି। ତା ହେଲେ ଆସନ୍ତୁ ଭେଟିବା ସେମିତି କିଛି ସଚ୍ଚୋଟ ପୋଲିସ୍ ଅଫିସରଙ୍କୁ।”

ଶିବଦୀପ୍‌ ଲାଣ୍ଡେ: ବିହାରର ଏହି ଆଇପିଏସ୍ ଅଫିସରଙ୍କ ନା ଶୁଣିଲେ ଅପରାଧୀ ଲୋମ ମୂଳ ଟାଙ୍କୁରୀ ଉଠେ। ନାଁ ତାଙ୍କର ଶିବଦୀପ ଲାଣ୍ଡେ। ସେ ଯେଉଁଠି ଯାଆନ୍ତି ସେଇଠି ଅପରାଧୀଙ୍କ ବାର ବଜେଇ ଦିଅନ୍ତି। ଶିବଦୀପ ବିହାରର ବାଲି ମାଫିଆ, ଖଣି ମାଫିଆଙ୍କ ଭଳି ଅପରାଧୀଙ୍କୁ ଧରିବା ପାଇଁ ବିହାର ସରକାରଙ୍କୁ ସାହାଯ୍ୟ କରିଛନ୍ତି। ୨୦୦୬ରୁ ପୋଲିସ୍‌ରେ ଭର୍ତ୍ତି ହୋଇଥିବା ଶିବଦୀପ ପାଟଣା, ଅରରିୟା, ପୂର୍ଣ୍ଣିୟା ଓ ମୁଙ୍ଗେର୍ର ଏସ୍‌ପି ଭାବରେ ଦାୟିତ୍ୱ ସମ୍ଭାଳି ସାରିଛନ୍ତି। ବର୍ତ୍ତମାନ ସେ ମହାରାଷ୍ଟ୍ର ସରକାରଙ୍କର କେନ୍ଦ୍ରୀୟ ପ୍ରତିନିଧି ପଦରେ କାର୍ଯ୍ୟରତ।

ମନୁ ମହାରାଜା: ଏହି ବାହାଦୁର ଅଫିସରଙ୍କୁ ରିୟଲ ଲାଇଫ ସିଙ୍ଘମ କୁହାଯାଏ। ସେ ମଧ୍ୟ ଶିବଦୀପ ଲାଣ୍ଡେଙ୍କ ଭଳି ୨୦୦୬ରେ ପୋଲିସ୍‌ରେ ଯୋଗ ଦେଇଥିଲେ। ଅପରାଧୀଙ୍କୁ ଧରିବା ପାଇଁ ସବୁ ବଡ଼ ବଡ଼ ଅପରେସନ୍‌ରେ ସେ ନିଜେ ବନ୍ଧୁକ ଧରି ଦଳର ନେତୃତ୍ୱ ନିଅନ୍ତି। ମନୁ ମହାରାଜ ହେଉଛନ୍ତି ବିହାର ମୁଖ୍ୟମନ୍ତ୍ରୀଙ୍କର ସବୁଠାରୁ ଭରସାଯୋଗ୍ୟ ପୋଲିସ୍ ଅଫିସର। ସେ ବିହାରର ବହୁତ ବଡ଼ ବଡ଼ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛନ୍ତି। ତାଙ୍କର ରାଉଡ଼ି ଲୁକ୍‌ ଦେଖିଲେ କୁଖ୍ୟାତ ଅପରାଧୀମାନଙ୍କ ଅବସ୍ଥା ବେହାଲ ହୋଇଯାଏ। ସେ ଏବେ ବିହାର ପୋଲିସ୍‌ରେ ଏସ୍‌ପି ଭାବରେ କାର୍ଯ୍ୟ କରୁଛନ୍ତି।

ଡି. ରୂପା: ଏହି ଲେଡି ପୋଲିସ୍ ଅଫିସର ଜେଲ୍‌ରେ ଶଶିକଳାଙ୍କୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗର ପର୍ଦ୍ଦାଫାସ କରି କିଛି ଦିନ ତଳେ ବେଶ ଚର୍ଚ୍ଚାରେ ଥିଲେ। ଏଥିପାଇଁ ତାଙ୍କୁ ପରିବହନ ବିଭାଗକୁ ବଦଳି କରିଦିଆଗଲା। ନେତା ହୁଅନ୍ତୁ କିମ୍ବା ମନ୍ତ୍ରୀ କାହାକୁ ନ ଡରି ନିର୍ଭିକ ଭାବେ ରୋକ ଠୋକ୍‌ ଶୁଣାଇ ଦିଅନ୍ତି ଏହି ଅଫିସର। ଏଥିପାଇଁ ତାଙ୍କୁ କେତେକ ଲୋକ ଲେଡି ସିଙ୍ଘମ କୁହନ୍ତି। ୨୦୧୬ରେ ଡି.ରୂପାଙ୍କୁ ରାଷ୍ଟ୍ରପତି ମେଡାଲ ପ୍ରଦାନ କରାଯାଇଛି।

ସଂଞ୍ଜୁକ୍ତା ପରାଶର: ତାଙ୍କ ଭଳି ଆଉଜଣେ ଲେଡି ଆଇପିଏସ୍‌ ଅଫିସର ହେଲେ ସଂଞ୍ଜୁକ୍ତା ପରାଶର। ତାଙ୍କ ନା ଶୁଣିଲେ ଥରି ଉଠେ ଆସାମର ବୋଡୋ ଆତଙ୍କବୀଦୀଙ୍କ ଛାତି। ଏମାନଙ୍କ ପାଇଁ ସଂଞ୍ଜୁକ୍ତା ଯମଦୂତଙ୍କଠାରୁ କମ୍‌ ନୁହନ୍ତି। ୨୦୦୬ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ସଂଞ୍ଜୁକ୍ତା ଆସାମର ପ୍ରଥମ ମହିଳା ଆଇପିଏସ୍। ବହୁତ କମ ସମୟରେ ଆସାମର ବୋଡୋ ଆତଙ୍କବାଦୀଙ୍କ ବିପକ୍ଷରେ ଅଭିଯାନ ଚଳାଇ ସଂଞ୍ଜୁକ୍ତା ବଡ଼ ସଫଳତା ପାଇଛନ୍ତି।

ଅନନ୍ତ ଦେବ ତିୱାରୀ: ଅପରାଧୀଙ୍କ ପାଇଁ ଦେଶର ସବୁଠାର ଭୟଙ୍କର ପୋଲିସ୍  ଆଫିସର ହେଉଛନ୍ତି ଅନନ୍ତ ଦେବ ତିୱାରୀ। ସେ ଏ ପର୍ଯ୍ୟନ୍ତ ୧୦୦ରୁ ଅଧିକ ଏନ୍‌କାଉଣ୍ଟର କରି ସାରିଲେଣି। ପୋଲିସ୍ କ୍ଷେତ୍ରରେ ତାଙ୍କର ଉତ୍ତମ ସେବା ଯୋଗୁଁ ସେ ୨୦୦୬ରେ ଆଇପିଏସ୍‌ ପଦବୀକୁ ଉନ୍ନତୀ ହୋଇଥିଲେ। ନୂଆ କାର୍ଯ୍ୟଭାର ସମ୍ଭାଳିବା ମାତ୍ରେ ଅନନ୍ତ ୨୦୦୭ରେ କୁଖ୍ୟାତ ଡକାୟତ ଦଦୁଆ ଏନ୍‌କାଉଣ୍ଟରେ ସଫା କରି ଦେଇଥିଲେ। ଏହାପରଠାରୁ ଅନନ୍ତ ଦେବ ତିୱାରୀଙ୍କ ନା ଶୁଣିଲେ ଅପରାଧୀଙ୍କ ପିଣ୍ଡରୁ ପ୍ରାଣ ବାହାରି ଯାଏ।