ମୋଦି ଏବଂ ଯୋଗୀଙ୍କ ଛବି ଆଙ୍କି ଶ୍ଵଶୂର ଘରୁ ତଡ଼ା ଖାଇଲେ ବୋହୂ

ବଲିଆ(ୟୁପି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପେଣ୍ଟିଂ କରିବାରୁ ବହୂକୁ ଘରୁ ବାହାର କରିଦେଲେ ଶ୍ଵଶୂର ଘର ଲୋକେ। ଉତ୍ତରପ୍ରଦେଶ ବଲିଆର ବିସାରିକପୁରରେ ଘଟିଛି ଏଭଳି ଘଟଣା।

ମଟୁରୀ ଗାଁର ମୋହମ୍ମଦ ଶମ୍‌ଶେର ଖାନଙ୍କ ଝିଅ ନଗ୍‌ମା ପରବିନ ୨୦୧୬ରେ ବିସାରିକପୁରର ହାଜି ସେରାଜୁଲ ଖାନଙ୍କ ପୁଅ ପରବେଜ ଖାନଙ୍କୁ ବିବାହ କରିଥିଲେ। ବିବାହ ପରେ ଶ୍ଵଶୂର ଘରେ ବେଶ ଖୁସିରେ ଦିନ କାଟୁଥିଲେ ନଗ୍‌ମା। ଚିତ୍ର ଆଙ୍କିବାରେ ରୁଚି ଥିବା ଯୋଗୁଁ ନଗ୍‌ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଚିତ୍ର ଆଙ୍କିଥିଲେ। ପେଣ୍ଟିଂ ସାରିବା ପରେ ନଗ୍‌ମା ଏହାକୁ ତାଙ୍କ ସ୍ୱାମୀଙ୍କୁ ଦେଖାଇଥିଲେ। ପରେ ତାଙ୍କ ସ୍ଵାମୀ ବାପା ମା’ଙ୍କୁ ଦେଖାଇଥିଲେ । ଶ୍ଵଶୂର ଘର ଲୋକେ ପେଣ୍ଟିଂ ଦେଖି ସାରିବା ପରେ ନଗମାଙ୍କୁ ନିସ୍ତୁକ ପିଟିଥିଲେ।

ଅତ୍ୟାଚାର ସହି ନ ପାରି ନଗ୍‌ମା ବାପ ଘରକୁ ସମସ୍ତ ଖବର ଜଣାଥିଲେ । ଖବର ପାଇଁ ଝିଅ ଶ୍ଵଶୂର ଘରେ ପହଞ୍ଛିଥିଲେ ବାପା ଶମ୍‌ଶେର ଖାନ। ଶମ୍‌ଶେର ଶ୍ଵଶୂର ଘର ଲୋକଙ୍କୁ ପଚାରିବାରୁ ସେମାନେ କହିଥିଲେ  ‘ଆପଣଙ୍କ ଝିଅ ପାଗଳ ହୋଇଯାଇଛି। ନରେନ୍ଦ୍ର ମୋଦି ଆଉ ଯୋଗୀ ଆଦିତ୍ୟନାଥଙ୍କ ପେଣ୍ଟିଂ କରି ଘରେ ଟାଙ୍ଗୁଛି। ତେଣୁ ତା’ର ଏ ଘରେ ରହିବା କୌଣସି ଅଧିକାର ନାହିଁ’ । ନିରାଶ ହୋଇ ଝିଅକୁ ଧରି ଫେରିଥିଲେ ବାପା ଶମ୍‌ଶେର । ପୋଲିସ୍‌ରେ ଏତଲା ମଧ୍ୟ ଦେଇଥିଲେ । ପୋଲିସ ଏତଲା ସିନା ରଖିଲା ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନ କରି ଚୁପ ହୋଇ ବସିରହିଲା। ପୀଡ଼ିତା ନଗମା ଓ ତାଙ୍କ ପରିବାର ଏବେ ନ୍ୟାୟ ଅପେକ୍ଷାରେ ଅଛନ୍ତି।