ପରୀକ୍ଷା ହଲ୍‌ରେ କନ୍ୟା, ବାହାରେ ବରଯାତ୍ରୀ

ଲକ୍ଷ୍ନୌ : ନାଲି ପାଟଶାଢି, ମୁଣ୍ଡରେ ସିନ୍ଦୁର ଆଉ ଟିପି ଟିପି ଚନ୍ଦନ, ଦି’ ହାତରେ ଦି ମୁଠା ଶଙ୍ଖା। ଏମିତି ବେଶରେ ବେବେରୁ ଜ୍ୱାଲା ପ୍ରସାଦ ଶର୍ମା ଇଣ୍ଟର କଲେଜ ସାମ୍ନାରେ ପହଞ୍ଚିଥିଲେ ଅର୍ଚ୍ଚନା। ଅନ୍ୟ ସହପାଠୀଙ୍କ ଭଳି ତାଙ୍କୁ ବି ଚେକ୍‌ କରି ପରୀକ୍ଷା କେନ୍ଦ୍ରକୁ ପଠାଇ ଦିଆଯାଇଥିଲା। ପ୍ରଶ୍ନପତ୍ର ପାଇବା ପରେ ଚଟାପଟ୍‌ ଆରମ୍ଭ କରିଥିଲେ ଲେଖା। ଅର୍ଚ୍ଚନା ପରୀକ୍ଷା ଦେଇ ସାରିବା ପରେ ଶାଶୂ ଘର ଯିବେ ବୋଲି ବାହାରେ ଅଟକିଥିଲେ ବରଯାତ୍ରୀ।

ଏ କଥା ପଢି ଆପଣ ହଡବଡେଇ ଯିବେଣି। ଭାବୁଥିବେ ଆମେ ବୋଧହୁଏ କିଛି ଲେଖୁଲେଖୁ ଆଉ କିଛି ଲେଖି ଦେଇଛୁ। ହେଲେ ସେମିତି ଭାବନ୍ତୁନି। ବାସ୍ତବରେ ଘଟିଛି ଏହି ଘଟଣା। ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲା କାଲିଟୋଲା ଗ୍ରାମରେ ବୁଧବାର ବିବାହ ପରେ ଅର୍ଚ୍ଚନା ଯାଦବ ନାମ୍ନୀ କନ୍ୟା  ଶାଶୂଘର ଯିବେନି ବୋଲି ଅଡ଼ି ବସିଲେ। ବୋହୂର ଏମିତି କଥା ଶୁଣି ଶାଶୂଘର ଲୋକେ ଚିନ୍ତାରେ ପଡିଗଲେ। ବାପଘର ଲୋକେବି କିଛି ବୁଝିପାରୁ ନ ଥାନ୍ତି। କଥା କ’ଣ ବୋଲି ପଚାରୁ ପଚାରୁ ତଳକୁ ମୁହଁ କରି ଅର୍ଚ୍ଚନା କହିଲେ “ଆଜି ମୋର ପରୀକ୍ଷା ଅଛି”। ଯାହାକୁ ଶୁଣି ନୀରବତା ଭିତରକୁ ପୁଣି ଲେଉଟିଲା କୋଳାହଳ। ତତ୍‌କ୍ଷଣାତ୍‌ ଆଶ୍ୱସ୍ତି ଖେଳି ଯାଇଥିଲା ପୁରା ମାହୋଲରେ।

ଉତ୍ତରପ୍ରଦେଶ ବେବେରୁ ଥାନା ଅଞ୍ଚଳର କାଜିଟୋଲା ଗ୍ରାମରେ ଘଟିଛି ଏହି ଘଟଣା। ଅର୍ଚ୍ଚନା ଯାଦବ ନାମକ ଯୁବତୀଙ୍କ ବିବାହ ପରେ ବୁଧବାର ଝିଅବିଦା ପାଇଁ ଚାଲିଥିଲା ପ୍ରସ୍ତୁତି । ସେହି ସମୟରେ ସେ ଶାଶୁଘରକୁ ଯିବେ ନାହିଁ ବୋଲି ମନା କରିଦେଇଥିଲେ। ଅର୍ଚ୍ଚନା ଏଭଳି ନିଷ୍ପତ୍ତି ନେବାର କାରଣ ସେ ବୋର୍ଡ ପରୀକ୍ଷା ଦେବାକୁ ଚାହୁଁଥିଲେ ବୋଲି ଜାଣିବା ପରେ ଦୁଇ ପରିବାର ମଧ୍ୟରେ ଖୁସିର ଲହରି ଖେଳି ଯାଇଥିଲା। ଏହାପରେ ବର ଅନୁପ ଓ ଭାଇ ରଜନିଶ ଓ ଅନ୍ୟ କେତେକ ଲୋକ ମିଶି ଅର୍ଚ୍ଚନାଙ୍କୁ କାରରେ ଧରି ପରୀକ୍ଷା କେନ୍ଦ୍ର ଜ୍ୱାଲା ପ୍ରସାଦ ଶର୍ମା ଇଣ୍ଟର କଲେଜରେ ପହଞ୍ଚିଥିଲେ। ପରୀକ୍ଷା ସରିବା ପରେ ଅର୍ଚ୍ଚନା ତାଙ୍କ ଘରକୁ ଯାଇଥିଲା। ଆଉ ସେଠାରୁ ଶାଶୁଘର ଫତେହପୁର ଜିଲ୍ଲାର ଖାଗାକୁ ବିଦା ହୋଇ ଯାଇଥିଲେ।