ବ୍ରିଟିଶ ଶାସନଠାରୁ ଇନ୍ଦିରାଙ୍କ ଶାସନ ଖରାପ ଥିଲା

ପାଟନା: ବ୍ରିଟିଶ୍ ଶାସନଠାରୁ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଶାସନ ଖରାପ ଥିଲା। ବିହାର ସରକାରଙ୍କ ଏକ ୱେବସାଇଟରେ ଏଭଳି ଏକ ଲେଖା ପ୍ରକାଶିତ ହୋଇଛି। ଫଳରେ ରାଜ୍ୟରେ ମେଣ୍ଟ ସରକାରରେ ସାମିଲ କଂଗ୍ରେସ କ୍ଷୁବ୍ଧ ହୋଇଛି।

ବିହାରର ଇତିହାସ ଉପରେ ଲେଖାଯାଇଥିବା ଏକ ସମୀକ୍ଷାରେ ଇନ୍ଦିରା ଗାନ୍ଧୀଙ୍କ ନିରଙ୍କୁଶ ଶାସନ ଓ ଜରୁରୀକାଳୀନ ସ୍ଥିତିକୁ ’ଦମନ’ ଭାବେ ଅଭିହିତ କରାଯାଇଛି।

ଏହି ଲେଖାରେ ଆଧୁନିକ ଇତିହାସରେ ଜୟପ୍ରକାଶ ନାରାୟଣଙ୍କ ଯୋଗଦାନ କଥା ମଧ୍ୟ ଉଲ୍ଲେଖ କରାଯାଇଛି। ଏଥିରେ ଲେଖା ଯାଇଛି, ଇନ୍ଦିରା ଗାନ୍ଧିଙ୍କ ନିରଙ୍କୁଶ ଶାସନ ଓ ତାଙ୍କ ସାନ ପୁଅ ସଂଜୟ ଗାନ୍ଧିଙ୍କୁ ଜୟପ୍ରକାଶ ନାରାୟଣଣ ନିରନ୍ତର ଭାବେ ଦୃଢ଼ତାର ସହିତ ବିରୋଧ କରି ଆସୁଥିଲେ। ଜେପିଙ୍କ ବିରୋଧ ଯୋଗୁଁ ଦେଶର ଜନମାନସରେ ସୃଷ୍ଟି ହୋଇଥିବା ପ୍ରତିକ୍ରିୟାକୁ ଦେଖି ଇନ୍ଦିରା ଗାନ୍ଧି ୧୯୭୫ ଜୁନ୍ ୨୬ରେ ଜରୁରୀକାଳିନ ସ୍ଥିତି ଜାରି କରିଥିଲେ। ଜେପିଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ତିହାର ଜେଲରେ ରଖାଯାଇଥିଲା।

ଏହି ଲେଖାକୁ ବିରୋଧ କରି ବିହାରର କଂଗ୍ରେସ ନେତା ଚନ୍ଦନ କହିଛନ୍ତି ଯେ ଏହା ସଂପୂର୍ଣ୍ଣ ଭାବେ ଅଗ୍ରହଣୀୟ। ସେ ଏନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହିତ ଆଲୋଚନା କରିବେ। ଅନ୍ୟପକ୍ଷରେ ବିହାର ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି ଯେ ଏହି ଘଟଣାର ତଦନ୍ତ କରାଯିବ।