ବିଏସ୍‌ଏଫ୍‌ ଯବାନ ଖାଲି ପେଟରେ ରହୁଥିବା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: “ଆମେ ୧୧ ଘଣ୍ଟା ଧରି ପ୍ରବଳ ଥଣ୍ଡାରେ ଛିଡ଼ା ହୋଇ ଡ୍ୟୁଟି କରୁଛୁ। କିନ୍ତୁ ବେଳେ ବେଳେ ଆମକୁ ଖାଲି ପେଟରେ ଶୋଇବାକୁ ହୁଏ।” ଏଭଳି କହି ଜଣେ ବିଏସ୍‌ଏଫ୍‌ ଯବାନ ସୁଟିଂ କରିଥିବା ଏକ ଭିଡିଓ ଏବେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କ ନାଁ ତେଜ ବାହାଦୁର। ସେ ବିଏସ୍‌ଏଫ୍ ୨୯ ବାଟାଲିୟନ୍‌ର।

ଏହି ଭିଡିଓରେ ସେ ସେମାନଙ୍କୁ କିପରି ପୋଡ଼ା ରୁଟି ଓ ପାଣିଆ ଡାଲି ଖାଇବାକୁ ଦିଆଯାଉଛି ତାହା ଦେଖାଇଛନ୍ତି।

ତେଜ୍ ବାହାଦୁର ଆହୁରି କହିଛନ୍ତି,“ଆମକୁ ଅଫିସର୍‌ମାନେ ଠକୁଛନ୍ତି। ଯଦି ଆମେ ଠିକ୍‌ରେ ଖାଦ୍ୟ ନପାଇବୁ ଡ୍ୟୁଟି କେମିତି କରିବୁ?”

ଏହି ଭିଡିଓ ଭାଇରାଲ ହେବା ପରେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ବିଏସ୍‌ଏଫ୍‌ ଡିଆଇଜି କହିଛନ୍ତି,“ସଂପୃକ୍ତ ଯବାନଙ୍କର କିଛି ଅସୁବିଧା ହୋଇଥିବ। ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଖାଦ୍ୟର ମାନ ଯାଞ୍ଚ କରାଯିବ।”