ବିଏସ୍‌ଏନ୍‌ଏଲ୍‌ ଘୋଷଣା କରିବ ଭିଆରଏସ୍‌ ପ୍ୟାକେଜ୍‌

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଟେଲିକମ୍‌ ଉଦ୍ୟୋଗ ବିଏସ୍‌ଏନ୍‌ଏଲ୍‌ ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ସ୍କିମ୍‌ (ଭିଆରଏସ୍‌) ନେବାକୁ ଥିବା କର୍ମଚାରୀଙ୍କ ପାଇଁ ବଡ଼ ପ୍ୟାକେଜ୍‌ ଘୋଷଣା କରିବାର ଅଛି। ବିଏସ୍‌ଏନ୍‌ଏଲ୍‌ ଭିଆରଏସ୍‌ ସ୍କିମ୍‌ ଅନୁଯାୟୀ ୫୦ ବର୍ଷ ବା ତଦୁର୍ଦ୍ଧ ବୟସର କର୍ମଚାରୀ ଭିଆରଏସ୍‌ ବାଛିପାରିବେ। ସେମାନଙ୍କୁ ବାକି ସମୟ ପାଇଁ ମୋଟା ଅଙ୍କର ଟଙ୍କା ମିଳିବ। ସର୍ବାଧିକ ୯୦ ଲକ୍ଷ ଯାଏ ଟଙ୍କା ମିଳିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

ମୋଟ ୧.୬ ଲକ୍ଷ କର୍ମଚାରୀଙ୍କ ମଧ୍ୟରୁ ୧ ଲକ୍ଷ କର୍ମଚାରୀ ବା ୬୩% କର୍ମଚାରୀ ଭିଆରଏସ୍‌ ପାଇଁ ଯୋଗ୍ୟ ଅଛନ୍ତି। କିଛି ସୂତ୍ରରୁ ଜଣାପଡ଼ିଛି ୮୦ ହଜାରରୁ ଊର୍ଦ୍ଧ୍ୱ ୫୦ ବର୍ଷ ବା ତାଠାରୁ ଅଧିକ ବୟସର ବ୍ୟକ୍ତି ଏଥିପାଇଁ ଆବେଦନ କରିସାରିଛନ୍ତି। ଆବେଦନ ଡିସେମ୍ବର ୩ ଯାଏ ଜାରି ରହିବାର ଥିବାରୁ ଅଧିକ କର୍ମଚାରୀ ଆବେଦନ କରିବାର ଅଛି।

ବିଏସ୍‌ଏନ୍‌ଏଲ୍‌ର ଅବସର ସୀମା ୬୦ ବର୍ଷ ଥିବାରୁ ଏହି ସ୍କିମ୍‌ ଅନୁଯାୟୀ ୫୫ ବର୍ଷ ବୟସର କର୍ମଚାରୀ ଅବସର ନେଲେ ବାକି ୬୦ ମାସ ପାଇଁ ମୋଟା ଅଙ୍କର ଅର୍ଥ ପାଇବେ।