ବିଜେପିର ବାଟ ଓଗାଳିବାକୁ ବିଏସ୍‌ପିର ଉଦ୍ୟମ: ବିରୋଧୀଙ୍କୁ ଏକ ହେବାକୁ ଆହ୍ୱାନ, ଗୋଟିଏ ପୋଷ୍ଟରରେ ମାୟାବତୀ ଓ ଅଖିଳେଶ

ନୂଆଦିଲ୍ଲୀ: ବିଜେପି ଦେଶର ସବୁଠାରୁ ବଡ଼ ରାଜନୈତିକ ଦଳ ଭାବେ ଉଭା ହୋଇଛି। କେନ୍ଦ୍ରରେ ଦଳ ଶାସନ କ୍ଷମତାରେ ରହିଛି। ତା’ସହିତ ଦଳ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ଗୁଜରାଟ, ରାଜସ୍ଥାନ, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ହରିଆଣା, ଗୋଆ, ଜମ୍ମୁ ଓ କାଶ୍ମୀର, ଆସାମ, ବିହାର, ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ମଣିପୁରରେ ଶାସନ ଗାଦିରେ ବସିଛି। କେଉଁଠି ଏକୁଟିଆ ତ କେଠି ମେଣ୍ଟ କରି କ୍ଷମତା ରହିଛି ଦଳ। ଆନ୍ଧ୍ର ପ୍ରଦେଶ ବିଧାନସଭାରେ ଦଳର ମାତ୍ର ଚାରି ଜଣ ବିଧାୟକ ଥିବା ବେଳେ ଦଳ ସରକାରରେ ସାମିଲ ହୋଇଛି। ଅଗାମୀ ଦିନରେ ଆହୁରି ଅଧିକ ରାଜ୍ୟରେ ଶାସନ ଡୋରିକୁ ନିଜ ହାତକୁ ଆଣିବାକୁ ଉଦ୍ୟମ ଚଳାଇଛି।

ବିଜେପି ଏବଂ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ରୋକିବାକୁ ବିରୋଧୀ ଦଳଗୁଡ଼ିକ ଏକାଠି ହେବାକୁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି। ଏବେ ଏହି ଧାରାରେ ସାମିଲ ହୋଇଛି ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି (ବିଏସ୍‌ପି)। ସାମାଜିକ ନ୍ୟାୟ ନାଁରେ ବିଏସ୍‌ପି ବିରୋଧୀ ଦଳଗୁଡ଼ିକୁ ଏକାଠି ହେବାକୁ ଅନୁରୋଧ କରିଛି। ବିଏସ୍‌ପିର ଟ୍ୱିଟର ଏକାଉଣ୍ଟରେ ଏକ ପୋଷ୍ଟର ସେୟାର କରାଯାଇଛି। ଏଥିରେ ମାୟାବତୀ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ଆର୍‌ଜେଡି ମୁଖ୍ୟ ଲାଲୁ ଯାଦବ ଓ ତାଙ୍କ ପୁଅ ତେଜସ୍ୱୀ ଯାଦବ, ସମାଜବାଦୀ ପାର୍ଟି ନେତା ଶରଦ ଯାଦବ, ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ କଂଗ୍ରେସ ସୋନିଆ ଗାନ୍ଧିଙ୍କ ଫଟୋ ରହିଛି। ଅବଶ୍ୟ ବିଏସ୍‌ପିର ରାଷ୍ଟ୍ରୀୟ ମହାସଚିବ ଏସ୍‌ସି ମିଶ୍ରା କହିଛନ୍ତି ଯେ ଏହା ତାଙ୍କ ଦଳର ଆନୁଷ୍ଠାନିକ ଟ୍ୱିଟର ଏକାଉଣ୍ଟ ନୁହେଁ। କିନ୍ତୁ ବିଏସ୍‌ପିର ଆଉ ଜଣେ ନେତା ସୁଧୀନ୍ଦ୍ର ଭଦୌରିଆ ଏହି ଟ୍ୱିଟ୍‌କୁ ରିଟ୍ୱିଟ୍ କରି ଲେଖିଛନ୍ତି ଯେ ଭଉଣୀ ମାୟାବତୀଙ୍କ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକ ସମସ୍ତଙ୍କ ପାଇଁ ସମାନ ଅଧିକାର ଥିବା ଏକ ସମାଜ ଗଠନ କରିବା ଦିଗରେ ଆଗେଇ ଆସିବା ଉଚିତ। ଅର୍ଥାତ୍‌ ଅନ୍ୟମାନଙ୍କ ସହ ମେଣ୍ଟ ନ କରିବା ପାଇଁ ବିଏସ୍‌ପି ପୂର୍ବରୁ ଯେଉଁ ନିଷ୍ପତ୍ତି ନେଇଥିଲା ସେଥିରେ ପୂର୍ଣ୍ଣଛେଦ ପକାଇଛି। ଦଳ ଏବେ ବିରୋଧୀମାନଙ୍କୁ ଗୋଟିଏ ମଞ୍ଚକୁ ଆଣିବାକୁ ପ୍ରାୟାସ ଆରମ୍ଭ କରିଛି। ଉତ୍ତର ପ୍ରଦେଶରେ ଯେଉଁ ଦଳକୁ ବିଏସ୍‌ପି ତା’ର ସବୁଠୁ ବଡ଼ ଶତ୍ରୁ ବୋଲି ଭାବେ ତାକୁ ବି ସାଥୀରେ ନେବାକୁ ଚାହୁଁଛି। ସେହି ଦଳଟି ହେଉଛି ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି। ଅର୍ଥାତ୍‌ ସମାଜବାଦୀ ପାର୍ଟି ଅପେକ୍ଷା ବିଜେପି ଏବେ ଏହା ପାଇଁ ବଡ଼ ଶତ୍ରୁ ପାଲଟି ଯାଇଛି।

sharad

ନୂଆ ନୁହେଁ ବିରୋଧୀଙ୍କୁ ଏକାଠି କରିବା ଉଦ୍ୟମ

କେବଳ ବିଏସ୍‌ପି ନୁହେଁ, ବିରୋଧୀମାନଙ୍କୁ ଏକାଠି କରିବାକୁ ଦେଶରେ ଏମିତି ଏକାଧିକ ଉଦ୍ୟମ ଚାଲିଛି। କିଛି ଦିନ ପୂର୍ବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମହାମେଣ୍ଟ ଛାଡ଼ି ବିଜେପିର ହାତ ଧରିବା ପରେ ଜେଡିୟୁ ନେତା ଶରଦ ଯାଦବ ବିଦ୍ରୋହ ଆରମ୍ଭ କରି ଦେଇଛନ୍ତି। ସେ ଦିଲ୍ଲୀରେ ୧୭ଟି ବିରୋଧୀ ଦଳର ନେତାଙ୍କୁ ଡାକି ବିଜେପି ବିରୋଧରେ ଏକ ହେବାକୁ କହିଥିଲେ। ଏଥିରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ବି ସାମିଲ ହୋଇଥିଲେ ଏବଂ କହିଥିଲେ ଯେ ଦେଶକୁ ବଞ୍ଚାଇବା ପାଇଁ ସବୁ ବିରୋଧୀ ଦଳକୁ ଏକାଠି ହେବାକୁ ପଡ଼ିବ।

ପ୍ରଥମ ଥର ପାଇଁ ଗୋଟିଏ ମଞ୍ଚରେ ବସିବେ ମାୟାବତୀ ଓ ଅଖିଳେଶ

ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଅଗଷ୍ଟ ୨୭ ତାରିଖରେ ପାଟନାରେ ଏକ ବୈଠକ ଡାକିଛନ୍ତି। ଏଥିରେ ସେ ସମସ୍ତ ବିରୋଧୀ ଦଳର ନେତାମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ଏଥିରେ କଂଗ୍ରେସ, ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ ସହିତ ଆହୁରି ଅନେକ ବିରୋଧୀ ଦଳର ନେତା ଯୋଗ ଦେବେ। ପ୍ରଥମ ଥର ପାଇଁ ଏହି ବୈଠକରେ ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀ ଓ ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ ଏକାଠି ଗୋଟିଏ ମଞ୍ଚରେ ବସିବେ। ଗତ ବିଧାନସଭା ନିର୍ବାଚନରେ ହାରିବା ପରେ ଅଖିଳେଶ ଖୋଲାଖୋଲି ଭାବେ ବିଏସ୍‌ପି ସହିତ ହାତ ମିଳାଇବା ପାଇଁ କହିଥିଲେ। ଏହି ପ୍ରସ୍ତାବରେ ବିଏସ୍‌ପି ହିଁ ଭରି ନଥିଲା କି ନା ବି କରି ନଥିଲା।

ସୌଜନ୍ୟ- ଆଜ୍‌ତକ୍‌