ଜାନୁଆରୀ ୧୨ରେ ମିତ୍ର, ଜୁନ ୨୪ରେ ପୁଣି ଶତ୍ରୁ

ଲକ୍ଷ୍ନୌ:ଜାନୁଆରୀରେ ମିତ୍ର ହେଲେ ଜୁନରେ ପୁଣି ଶତ୍ରୁ ହୋଇଛନ୍ତି ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି। ଇଏ ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶରେ ମୋଦି ହାଓ୍ୱାରେ ବ୍ରେକ୍ ଲଗାଇବା ପାଇଁ ଭତିଜା ଅଖିଲେଶଙ୍କ ସମାଜବାଦୀ ପାର୍ଟି ଓ ବୁଆ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ଏକାଠି ହୋଇଥିଲେ। ଏବେ ନିର୍ବାଚନ ଫଳାଫଳ ପରେ ପରାଜୟ ପାଇଁ ଅଖେଲଶଙ୍କ ନେତୃତ୍ୱକୁ ଦାୟୀ କରି ମେଣ୍ଟରୁ ଓହରିବାକୁ ନିଷ୍ପତ୍ତି ନେଇଥିବା ମାୟାବତୀ ଟ୍ୱିଟ୍ କରି କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ବହୁଜନ ସମାଜ ପାର୍ଟିର ସର୍ବଭାରତୀୟ ନେତାଙ୍କୁ ନେଇ ଅଢ଼େଇ ଘଣ୍ଟା ଧରି ବୈଠକ ବସିଥିଲା। ଏହି ବୈଠକରେ ବିଏସପି ସୁପ୍ରିମୋ ମାୟାବତୀ ତାଙ୍କ ଭାଇ ଆନନ୍ଦ କୁମାରଙ୍କୁ ଦଳର ରାଷ୍ଟ୍ରୀୟ ଉପସଭାପତି ଦାୟିତ୍ୱ ଦେଇଛନ୍ତି। ଅନ୍ୟପକ୍ଷରେ ପୁତୁରା ଆକାଶ ଆନନ୍ଦଙ୍କୁ ଜାତୀୟ ସଂଯୋଜକ ପଦ ଦେଇଛନ୍ତି।

ଆଗାମୀ ଦିନରେ ସମସ୍ତ ନିର୍ବାଚନ ବିଏସପି ଏକାକୀ ଲଢ଼ିବ ବୋଲି ମାୟାବତୀ ଘୋଷଣା କରିଛନ୍ତି।

ସେହିପରି ଗତକାଲି ବିଳମ୍ୱିତ ରାତ୍ରୀ ଯାଏ ବୈଠକ ବସିଥିଲା ବୋଲି ଆଜି ଟ୍ୱିଟ୍ କରି ମାୟାବତୀ ଉଲ୍ଲେଖ କରିଛନ୍ତି। ଏହି ବୈଠକରେ ମିଡିଆ ଉପସ୍ଥିତ ନଥିବା ସେ କହିଛନ୍ତି। ଗତକାଲି ତାଙ୍କୁ ନେଇ ମିଡିଆରେ ଯେଉଁ ଖବର ପ୍ରକାଶ ପାଇଥିଲା ତାହା ସମ୍ପୂର୍ଣ୍ଣ ମିଛ ବୋଲି ମାୟାବତୀ ଟ୍ୱିଟ୍ କରି କହିଛନ୍ତି।

ଜାନୁଆରୀ ୧୨ରେ ଉଭୟ ମିଳିତ ସାମ୍ୱାଦିକ ସମ୍ମିଳନୀ କରି ମେଣ୍ଟ ଘୋଷଣା କରିଥିଲେ। ଏହି ମେଣ୍ଟରେ ଅନ୍ୟ ଏକ ଦଳ ଆରଏଲଡି ମଧ୍ୟ ସାମିଲ ହୋଇଥିଲା। ନିର୍ବାଚନ ପରେ ବିଏସପି ୨୦୧୪ରେ ଶୂନ ଥିବା ବେଳେ ଚଳିତଥର ୧୦ଟି ଆସନ ହାତେଇବାରେ ସଫଳ ହୋଇଛି। ହେଲେ ଏସପି ମାତ୍ର ୫ଟି ଆସନରେ ବିଜୟୀ ହୋଇଛି। ଆଜି ବିଏସପି ସୁପ୍ରିମୋ ଟ୍ୱିଟ୍ କରି ମେଣ୍ଟ ଭାଙ୍ଗିଲା ବୋଲି ସ୍ପଷ୍ଟ କରିଛନ୍ତି।

ତେବେ ମାୟାବତୀ ସ୍ପଷ୍ଟ କରିଛନ୍ତି ଯେ,  ଯେଉଁ ଆଶା ନେଇ ମହାମେଣ୍ଟ ଗଠନ ହୋଇଥିଲା ତାହା ଫଳପ୍ରଦ ହୋଇ ନାହିଁ।  ଅଖିଲେଶ ମହାମେଣ୍ଚ ପାଇଁ ଅପରିପକ୍ୱ। ନିର୍ବାଚନ ପରେ ଅଖିଲେଶଙ୍କ ଫୋନ୍ କଲକୁ ଅପେକ୍ଷା କରିଥିଲି, ହେଲେ ସେ କେବେ ଫୋନଟିଏ ବି କରି ନାହାନ୍ତି ବରଂ ମୁଁ ତାଙ୍କୁ ଫୋନ୍ କରି ପରାଜୟକୁ ନେଇ ଦୁଃଖ ପ୍ରକାଶ କରିଥିଲି ବୋଲି ମାୟାବତୀ କହିଛନ୍ତି। ଏଭଳି ସ୍ଥିତିରେ ଆଗକୁ ଯିବା ପାଇଁ ହେଲେ ଏସପି ସହ ଆଉ ମେଣ୍ଟ ହେବ ନାହିଁ ବୋଲି ସେ କହିଛନ୍ତି।

ମୁସଲମାନଙ୍କୁ ଟିକେଟ ଦେଲେ ଭୋଟ୍ ମିଳିବ ନାହିଁ ଅଖିଲେଶ ତାଙ୍କୁ କହିଥିଲେ ବୋଲି ମାୟାବତୀ କହିଛନ୍ତି। ପରିଣାମସ୍ୱରୂପ ଏସପିର ଭୋଟ ବିଜେପିକୁ ଯାଇଛି ବୋଲି ସେ କହିଛନ୍ତି। ମୁଲାୟମ ସିଂହ ଯାଦବଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି ମାୟାବତୀ। ସେ କହିଛନ୍ତି ତାଜ କରିଡର ମାମଲାରେ ବିଜେପି ସହିତ ମୁଲାୟମ ମୋତେ ଫସାଇ ଥିଲେ। କିନ୍ତୁ ମେଣ୍ଟ ବେଳେ ଏସବୁକୁ ସେ ଭୁଲି ଯାଇଥିଲେ ବୋଲି ମାୟାବତୀ କହିଛନ୍ତି। ସମାଜବାଦୀ ପାର୍ଟି କିନ୍ତୁ ଏଯାଏ ମେଣ୍ଟ ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ରଖି ନାହିଁ।