ନିରାଶ କଲେ ମୋଦି ସରକାର: ମହଙ୍ଗା ହେବ ମୋବାଇଲ ଓ ଟିଭି , ଆୟକର ସୀମା ଅପରିବର୍ତ୍ତିତ

ନୂଆଦିଲ୍ଲୀ:୧୯ ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ଆଜି ଥିଲା ଅନ୍ତିମ ସାଧାରଣ  ବଜେଟ ୨୦୧୮-୧୯ । ଆଜି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବଜେଟ ଉପସ୍ଥାପନ କରିଥିଲେ। ହେଲେ ସାଧାରଣ ଲୋକଙ୍କ ଫାଇଦା ହେଲା ଭଳି କୌଣସି ଆକର୍ଷଣୀୟ ଘୋଷଣା କରିନାହାନ୍ତି ମୋଦି ସରକାର। ଅପରପକ୍ଷରେ ଯାହା ଆଶଙ୍କା କରାଯାଉଥିଲା ତାହାହିଁ ଘଟିଲା କିନ୍ତୁ ଯାହା ଆଶା କରାଯାଉଥିଲା ସେମିତି କିଛି ଘଟିଲା ନାହିଁ। ସରକାର ଇଲେକ୍‌ଟ୍ରୋନିକ୍‌ ସାମଗ୍ରୀ ଉପରେ କଷ୍ଟମ ଡ୍ୟୁଟି ବୃଦ୍ଧି କରିଛନ୍ତି। ବର୍ତ୍ତମାନ ୧୫ ପ୍ରତିଶତ କଷ୍ଟମ ଡ୍ୟୁଟି ଥିବା ବେଳେ ଏହାକୁ ୨୦ ପ୍ରତିଶତକୁ ବଢାଇ ଦିଆଯାଇଛି। ଏହା ଫଳରେ ଟିଭି, ଫ୍ରିଜ୍‌, ମୋବାଇଲ ଆଦିର ଦର ବଢିବ।

ସେହିପରି  ଆୟକର ଛାଡ ସୀମା ୨.୫ ଲକ୍ଷରୁ ୩ଲକ୍ଷକୁ ବୃଦ୍ଧି କରାଯିବ ବୋଲି ଆଶା କରାଯାଉଥିଲା।  କିନ୍ତୁ ଏ କ୍ଷେତ୍ରରେ ନିରାଶ କରିଛନ୍ତି ମୋଦି ସରକାର। ଆୟକର ଛାଡସୀମା ଅପରିବର୍ତ୍ତିତ ରହିଛି। ତେବେ ବରିଷ୍ଠ ନାଗରିକଙ୍କ ପାଇଁ  ଆୟକର ରିହାତି ସୀମାକୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।  ଅନ୍ୟପକ୍ଷରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ଦରମା ବୃଦ୍ଧି କରାଯାଇଛି। ଏନେଇ ସେମାନଙ୍କ ଦରମା ବାବଦରେ  ସଂଶୋଧିତ ହୋଇଥିବା ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ। ଏବେ ରାଷ୍ଟ୍ରପତି ୫ ଲକ୍ଷଟଙ୍କା, ଉପରାଷ୍ଟ୍ରପତି ୪ ଲକ୍ଷ ଟଙ୍କା ଏବଂ ରାଜ୍ୟପାଳ ୩. ୫ ଲକ୍ଷ ଟଙ୍କା ମାସିକ ଦରମା ପାଇବେ ।