ଆଜିଠୁ ସଂସଦର ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଆଜିଠୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେଉଛି। ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧିତ କରିବେ। ପ୍ରଥମ ଥର ପାଇଁ ସେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ଫେବ୍ରୁଆରୀ ୧ ତାରିଖରେ ବଜେଟ୍‌ ଉପସ୍ଥାପିତ ହେବ ତା’ ପୂର୍ବରୁ ଆଜି ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ। ଏଥର ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ଆୟକର ସୀମାରେ କିଛିଟା ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ହେଉଛି। ମୁଖତଃ ଟ୍ୟାକ୍ସ ସ୍ଲାବରେ ପରିବର୍ତ୍ତନ ଆସିପାରୋ ଏଥର ଅଧିବେଶନରେ ଟ୍ରିପଲ ତଲାକ୍‌ ଓ ଓବିସି କମିଶନ ଭଳି ଗୁରୁତ୍ୱପୂର୍ଣ୍ଣ ବିଲ୍‌କୁ ପାସ୍ କରାଇବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।

ଗତ ଅଧିବେଶନରେ ଟ୍ରିପଲ ତଲାକ ବିଲ୍ ଲୋକସଭାରେ ପାସ୍ ହୋଇଥିବା ବେଳେ ରାଜ୍ୟସଭାରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅଟକି ରହିଥିଲା।  ସରକାରଙ୍କୁ ଘେରିବା ପାଇଁ କେତେକ ପ୍ରସଙ୍ଗକୁ ବିରୋଧୀ ମୁଖ୍ୟ ଅସ୍ତ୍ର କରିପାରେ। ଏଥିମଧ୍ୟରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ନେଇ ଦେଖାଦେଇଥିବା ନ୍ୟାୟପାଳିକା ବିବାଦ ମୁଖ୍ୟ ପ୍ରସଙ୍ଗ ହୋଇପାରେ। ଗତକାଲି କେନ୍ଦ୍ର ସରକାର ଓ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ସର୍ବଦଳୀୟ ବୈଠକ ଡାକି ବଜେଟ୍‌ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ସବୁ ଦଳ ସହ ଆଲୋଚନା କରିଥିଲେ।