ବଜେଟ୍‌: ଏଥର ଆୟକର ଛାଡ଼ସୀମା ଅଢେଇରୁ ତିନି ଲକ୍ଷକୁ ବଢିବା ସମ୍ଭାବନା

ନୂଆଦିଲ୍ଲୀ: ଆଉ ମାତ୍ର ଦୁଇ ଦିନ ପରେ ସାଧାରଣ ବଜେଟ୍ । ତେବେ ତା’ପୂର୍ବରୁ ଆୟକରଦାତାଙ୍କ ମନରେ ଉତ୍କଣ୍ଠା।  ଏଥର ବଜେଟ୍‌ରେ ସେମାନଙ୍କ ଲାଗି କି ବ୍ୟବସ୍ଥା କରିବେ ଜେଟଲୀ। ଅତ୍ୟାବଶ୍ୟକ ଦ୍ରବ୍ୟର ଆକାଶଛୁଆଁ  ଦର ଓ ଜିଏଟି ଲାଗୁ ଜନିତ ଚାପ ଲାଘବ ଲାଗି ଆୟକର ଛାଡ଼ ସୀମାକୁ ଜେଟଲୀ ଅଢେଇରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରିପାରନ୍ତି ବୋଲି ସେମାନେ ଆଶା ରଖିଛନ୍ତି।

ଏଥର କଣ ରହିବ ଆୟକର ସ୍ଲାବ ତାକୁ ନେଇ ବଢିଛି ଉତ୍କଣ୍ଠା । ଜିଏସଟି ଲାଗୁ ପରେ ଏହା ପ୍ରଥମ ବଜେଟ୍  ହୋଇଥିବାରୁ ଏହାର ରୂପରେଖ ବଦଳିବାର ଯଥେଷ୍ଟ ସମ୍ଭାବନା ଥିବା ମତ ଦେଇଛନ୍ତି ବିଶେଷଜ୍ଞ । ଫୋକସରେ ରହିପାରନ୍ତି ବେତନଭୋଗୀ ଟିକସଦାତା।  ତାଲିକାରେ ବେତନଭୋଗୀଙ୍କ ସଂଖ୍ୟା ସର୍ବାଧିକ ହୋଇଥିବାରୁ ସେମାନଙ୍କୁ ଟିକେ ଆଶ୍ୱସ୍ତି ଦେବାକୁ ଜେଟଲୀ ପଦକ୍ଷେପ ନେଇପାରନ୍ତି।  ଅତ୍ୟାବଶ୍ୟକ ସାମଗ୍ରୀର ଦରରେ ବୃଦ୍ଧି ଯୋଗୁଁ  ଲୋକଙ୍କ ଉପରେ ଚାପ ବଢିଛି । ଏପଟେ ଆର୍ଥିକ ଅଭିବୃଦ୍ଧି ହାରରେ ମଧ୍ୟ ଧିମେଇ ଯାଇଛି।  ତେଣୁ ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ଲାଗି ଜେଟଲୀ ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ଶ୍ରେଣୀଙ୍କ ହାତରେ ଅର୍ଥରାଶି ବୃଦ୍ଧି ଲାଗି ଆୟକର ଛାଡ଼ ସୀମାକୁ ବୃଦ୍ଧି କରିବା ସମ୍ଭାବନା ରହିଛି।  ଏବେ ନଜର ପକାନ୍ତୁ ବର୍ତ୍ତମାନର ଆୟକର ସ୍ଲାବ୍ ଉପରେ।  ସାଧାରଣ ବର୍ଗଙ୍କ ଲାଗି ଆୟକର ଛାଡ଼ ସୀମା ରହିଛି ୨ ଲକ୍ଷ ୫୦ ହଜାର। ଅଢେଇରୁ ୫ ଲକ୍ଷ ଆୟ ଉପରେ ୫ ପ୍ରତିଶତ ଏବଂ ୫ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ରୋଜଗାର ଉପରେ ୨୦ ପ୍ରତିଶତ ଟିକସ ଭରିବାକୁ ପଡୁଛି ।

ତେବେ ୧୦ ଲକ୍ଷରୁ ଅଧିକ ରୋଜଗାର ଥିବା ଲୋକଙ୍କୁ ୩୦ ପ୍ରତିଶତ ଟିକସ ଦେବାକୁ ପଡୁଛି । ସେହିପରି ୫୦ ଲକ୍ଷରୁ କୋଟିଏ ଟଙ୍କା ରୋଜଗାର ଉପରେ ୧୦ ପ୍ରତିଶତ ଓ କୋଟିଏରୁ ଅଧିକ ଆୟ ଉପରେ ୧୫ ପ୍ରତିଶତ ସରଚାର୍ଜ ଲାଗିଛି।  ତେବେ ଜିଏସଟି  ଲାଗୁ ହୋଇସାରିଥିବାରୁ ସରକାର ଟ୍ୟାକ୍ସ ସ୍ଲାବରେ ପରିବର୍ତ୍ତନ କରିବା ସମ୍ଭାବନା ବଢିଛି।