ମୁମ୍ବାଇରେ କୋଠା ଭୁଶୁଡ଼ି ୮ ମୃତ, ୩୩ ଫସିଥିବା ଆଶଙ୍କା, ଭାଗ୍ୟବାନ ସ୍କୁଲ ପିଲା

ମୁମ୍ବାଇ, (ଓଡ଼ିଶା ରିପୋର୍ଟର): ମୁମ୍ବାଇର  ଡୋଙ୍ଗ୍ରି ନିକଟସ୍ଥ ଜେ.ଜେ ଫ୍ଲାଇ ଓଭର  ନିକଟରେ ଆଜି ସକାଳେ ୮ଟା ୩୦ରେ  ଏକ ୩ ମହଲା କୋଠା ଭୁଶୁଡ଼ି ୮ ଜଣଙ୍କ ମୃତ୍ୟୁ ଘଟିଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।  ଏବେବି ଭାଙ୍ଗିପଡ଼ିଥିବା କୋଠା ତଳେ  ୩୫ରୁ ଅଧିକ ଚାପି ହୋଇଥିବା ଆଶଙ୍କା କରାଯାଉଛି। ୪୫ ଜଣିଆ ଏନ୍‌ଡିଆରଏଫ ଟିମ୍‌ ଏବଂ ୧୦ଟି ଦମକଳ ଗାଡ଼ି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପ୍ରାୟ ୯ଟି ପରିବାର ଏହି ବିଲଡିଂରେ ରହୁଥିଲେ।

ତଳ ମହଲାରେ ଏକ ନର୍ସରୀ ସ୍କୁଲ ମଧ୍ୟ ଚାଲୁଥିଲା । ହେଲେ ସ୍କୁଲ ଟାଇମ ପୂର୍ବରୁ ଏହି ଦୁର୍ଘଟଣା ଘଟିଥିବାରୁ ସୌଭାଗ୍ୟବସତଃ ଏହି ବିପଦରୁ  ପିଲାମାନଙ୍କ ଜୀବନ ବର୍ତ୍ତିଯାଇଛି। ଭେଣ୍ଡିବଜାର ସ୍ଥିତ ପାକମୋଦିଆ ଷ୍ଟ୍ରିଟ୍‌ରେ ଅବସ୍ଥିତ ଏହି ବିଲଡିଂର ପୁନଃମରାମତି ପାଇଁ  ସ୍ଥିର କରାଯାଥିଲା। କାରଣ ୮୦ ବର୍ଷରୁ ଅଧିକ ଏହି ବିଲଡିଂଟି ଜରାଜୀର୍ଣ୍ଣ ହୋଇପଡ଼ିଥିଲା।  ସେହି ଅନୁଯାୟୀ ବିଲଡିଂରେ ରହୁଥିବା ଅନେକ ଲୋକଙ୍କୁ ଖାଲି କରାଯାଇଥିଲା। ତଥାପି ବହୁ  ଲୋକ ଘର ଛାଡ଼ି ନ ଥିଲେ। ସେପଟେ ଦୁଇଦିନ ହେବ ପ୍ରବଳ  ବର୍ଷା ଯୋଗୁ  କୋଠାଟି ଦୁର୍ବଳ ହୋଇ ଭୁଶୁଡ଼ି ପଡ଼ିଥିବା କୁହାଯାଉଛି।