ଡିସେମ୍ୱର ସୁଦ୍ଧା ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଶେଷ ହେବ

ନୂଆଦିଲ୍ଲୀ: ଚଳିତବର୍ଷ ଡିସେମ୍ୱର ମାସ ଶେଷ ସୁଦ୍ଧା ବୁଲେଟ ଟ୍ରେନ ପାଇଁ ଜମି ଅଧିଗ୍ରହଣ ଶେଷ ହେବ। ନ୍ୟାଶନାଲ ହାଇସ୍ପିଡ୍ ରେଲ କର୍ପୋରେସନ ଲିମିଟେଡ୍(ଏନଏଚଏସଆରସିଏଲ) ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛି। ୨୦୧୪ରେ ମୋଦି ସରକାର ଆସିବା ପରେ ପ୍ରଥମେ ମୁମ୍ୱାଇରୁ ଅହମଦାବାଦ ୫୦୮ କିଲୋମିଟର ଦୀର୍ଘ ରୁଟରେ ବୁଲେଟ ଟ୍ରେନ ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ନିକଟରେ ଏହି ପ୍ରକଳ୍ପ ଧିମେଇ ଯାଇଥିବା ନେଇ ଖବର ପ୍ରକାଶ ପାଇବା ପରେ ଏନଏଚଏସଆରସିଏଲର ମୁଖପାତ୍ର ସୁଷମା ଗୌର ଆଜି ଏହି ସୂଚନା ଦେଇଛନ୍ତି। ଥରେ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଗଲେ ବୁଲେଟ୍ ଟ୍ରେନ ପ୍ରକଳ୍ପ ଶୀଘ୍ର ଆରମ୍ଭ ହୋଇଯିବ ବୋଲି ସେ କହିଛନ୍ତି।

ମୁମ୍ୱାଇରୁ ଅହମଦାବାଦ ୫୦୮ କିଲୋମିଟର ରାସ୍ତା ପାଇଁ ୧୩୮୦ ହେକ୍ଟର ଜମିର ଅଧିଗ୍ରହଣ ଆବଶ୍ୟକ। ଏଯାଏ କିନ୍ତୁ ଚୁକ୍ତି ହେବାର ୨୧ ମାସ ମଧ୍ୟରେ ମାତ୍ର ୩୯ ପ୍ରତିଶତ ଜମି ଅଧିଗ୍ରହଣ ହୋଇଛି। ଏଥିପାଇଁ ପ୍ରକଳ୍ପର ଅଗ୍ରଗତି ଧିମା ହୋଇଥିବା ଚର୍ଚ୍ଚା ହେଉଛି। ୧୩୮୦ ହେକ୍ଟର ଜମିରୁ ଗୁଜରାଟରେ ୯୪୦ ହେକ୍ଟର ଜମି ରହିଛି। ମହାରାଷ୍ଟ୍ରରେ ବାକି ୪୩୧ ହେକ୍ଟର ରହିଛି।

ଗୁଜରାଟରେ ୯୪୦ ହେକ୍ଟରରୁ ୪୭୧ ହେକ୍ଟର ଜମି ଅଧିଗ୍ରହଣ ଶେଷ ହୋଇଛି। ହେଲେ ମହାରାଷ୍ଟ୍ରରେ ୪୩୧ ହେକ୍ଟର ଜମିରୁ ମାତ୍ର ୬୬ ହେକ୍ଟର ଜମି ଅଧିଗ୍ରହଣ ହୋଇଥିବା ଜଣାପଡ଼ିଛି। ଯାହାକି ନିର୍ଦ୍ଦାରିତ ଲକ୍ଷ୍ୟଠୁ କମ୍। ନିକଟରେ ସାଧାରଣ ନିର୍ବାଚନ ବେଳେ ମଧ୍ୟ ମହାରାଷ୍ଟ୍ରର ମେଣ୍ଟ ସରକାରରେ ଥିବା ସହଯୋଗୀ ଶିବସେନା ଓ ଜମି ହରାଇବାକୁ ଥିବା ସ୍ଥାନୀୟ ଲୋକ ଏହି ପ୍ରକଳ୍ପକୁ ବିରୋଧ କରିଛନ୍ତି। ଯାହାକୁ ନେଇ ଜମି ଅଧିଗ୍ରହଣରେ ବଡ଼ ସମସ୍ୟା ଦେଖାଦେଇଛି। ନିକଟରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ରହିଥିବାରୁ କେନ୍ଦ୍ର ସରକାର ଜମି ଅଧିଗ୍ରହଣ ଉପରେ ଜୋର ଦେଉନଥିବା ଅନୁମାନ କରାଯାଉଛି। ସେହିପରି ଦାଦ୍ରା ନଗର ହାବେଲିରେ ୯ ହେକ୍ଟର ଜମି ଅଧିଗ୍ରହଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହା ଏପର୍ଯ୍ୟନ୍ତ ହୋଇପାରି ନାହିଁ।

ସୂଚନାଯୋଗ୍ୟ, ୨୦୧୭ ମସିହା ସେପ୍ଚେମ୍ୱର ୧୪ରେ ପ୍ରଧାନମନ୍ତ୍ରୀ ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ହାଇସ୍ପିଡ୍ ରେଳ ପ୍ରକଳ୍ପ ପାଇଁ ୧.୦୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ଜାପାନ ଇଣ୍ଟରନେଶନାଲ କର୍ପୋରେସନ ଏଜେନ୍ସି(ଜେଆଇସିଏ) ଏବଂ ରେଲଓ୍ୱେ ମନ୍ତ୍ରଣାଳୟ ମଧ୍ୟରେ ଏ ନେଇ ଦ୍ୱିପାକ୍ଷିକ ଚୁକ୍ତି ହୋଇଛି। ପ୍ରାଥମିକ ଭାବରେ ଜାପାନ ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ପୁଞ୍ଜି ନିବେଶ କରିବ। ମୁମ୍ୱାଇରୁ ଅହମଦାବାଦ ବୁଲେଟ ଟ୍ରେନ ଯାତ୍ରା ପାଇଁ ଘଣ୍ଟା ପ୍ରତି ୩୨୦ କିଲୋମିଟର ବେଗରେ ପାଖାପାଖି ୨ ଘଣ୍ଟା ସମୟ ଲାଗିବ। ବର୍ତ୍ତମାନ ଏହି ରୁଟରେ ଟ୍ରେନକୁ ୭ ଘଣ୍ଟାରୁ ଅଧିକ ସମୟ ଲାଗୁଥିବା ବେଳେ ବିମାନରେ ଗଲେ ଘଣ୍ଟାଏରୁ ଅଧିକ ସମୟ ଲାଗୁଛି।