ଯୁବକଙ୍କ ଇଂରାଜୀ ଶୁଣି ଜିଲ୍ଲାପାଳ ଆଶ୍ଚର୍ଯ୍ୟ; ବିପିଏଲ୍‌ କାର୍ଡ ଦେବାକୁ ମନା କଲେ

‌ନୂଆଦିଲ୍ଲୀ: ଇଂରାଜୀ କହୁଥିବାରୁ ଗରିବ ବାପପୁଅଙ୍କୁ ମିଳିଲା ନାହିଁ ବିପିଏଲ୍ କାର୍ଡ। ସ୍ୱରୋଜଗାର ଯୋଜନାରେ ଲୋନ୍‌ ନେବା ପାଇଁ ବିପିଏଲ୍‌ କାର୍ଡ ଦରକାର ହେଉଥିବା ବେଳେ ଷଷ୍ଠ ଶ୍ରେଣୀ ଫେଲ୍‌ ଯୁବକଙ୍କ ଇଂରାଜୀ ଶୁଣି ଜିଲ୍ଲାପାଳ କାର୍ଡ ଦେବାକୁ ମନା କରି ଦେଲେ। ଘଟଣାଟି ମଧ୍ୟପ୍ରଦେଶର।

ବୁରହାନ୍‌ପୁର ଜିଲ୍ଲାର ଜିଲ୍ଲାପାଳ ସତେନ୍ଦ୍ର ସିଂହ ମଙ୍ଗଳବାର ଜନଶୁଣାଣିରେ ଲୋକଙ୍କ ସମସ୍ୟା ଶୁଣୁଥିଲେ। ଉକ୍ତ ଜିଲ୍ଲାର ଇଚ୍ଛାପୁର ବାସିନ୍ଦା ସୁବାସ ପୁଅ କୁଶାଲଙ୍କ ସହ ବିପିଏଲ୍‌ କାର୍ଡ ପାଇଁ ନିବେଦନ କରିବାକୁ ସେଠାକୁ ଆସିଥିଲେ। ହେଲେ ଜିଲ୍ଲାପାଳ ତାଙ୍କୁ କହିଥିଲେ, ‘ତୁମର ବିପିଏଲ୍‌ କାର୍ଡ଼ କ’ଣ ଦରକାର? ତୁମେ ତ ଭଲ ସ୍ମାର୍ଟ ଦେଖାଯାଉଛ।’  ତା’ପରେ ଜିଲ୍ଲାପାଳ ତାଙ୍କୁ କେତେ ଯାଏଁ ପଢ଼ିଛ ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଦେଇ କୁଶାଲ ଇଂରାଜୀରେ କହିଥିଲେ ଯେ ସେ ଷଷ୍ଠ ଶ୍ରେଣୀ ଫେଲ୍‌। କୁଶାଲଙ୍କ ଉତ୍ତର ଇଂରାଜୀରେ ଶୁଣି ଜିଲ୍ଲାପାଳ ହସିବାକୁ ଲାଗିଲେ। କୁଶାଲ ଭଲ ଇଂରାଜୀ କହୁଥିବାରୁ ଜିଲ୍ଲାପାଳଙ୍କୁ ତାଙ୍କ କଥା ମିଛ ଲାଗିଥିଲା। ସେ କହିଥିଲେ ଯେ ଏତେ ଭଲ ଇଂରାଜୀ କହୁଛ, ପୁଣି ନିଜକୁ ଷଷ୍ଠ ଶ୍ରେଣୀ ଫେଲ୍‌ କହୁଛ। ତେବେ ଏହାର ଉତ୍ତର ଦେଇ କୁଶାଲ କହିଥିଲେ ଯେ ଇଂରାଜୀ ଭାଷାରେ କଥା କହିବା ପାଇଁ ଉଚ୍ଚ ଶିକ୍ଷା ଜରୁରୀ ନୁହେଁ। ହେଲେ ଜିଲ୍ଲାପାଳ ବିଶ୍ୱାସ କରି ନଥିଲେ ଓ ବିପିଏଲ୍ କାର୍ଡ଼ ଦେବାକୁ ମନା କରିଥିଲେ।

କୁଶାଲ ଗୁଜରାଟର ଏକ ମୋବାଇଲ କମ୍ପାନୀର କଲ୍‌ ସେଣ୍ଟରରେ ସିନିୟର ସୁପରଭାଇଜର ଥିଲେ। ସେଠାରେ ସେ ଇଂରାଜୀ ଓ ଗୁଜରାଟୀ ଭାଷା ଶିଖିଥିଲେ। ପଢ଼ାରେ ମନ ନ ଲାଗୁଥିବାରୁ ସେ ୨୦୦୨ ମସିହାରେ ପାଠ ପଢ଼ା ଛାଡି ଦେଇଥିଲେ। କୁଶାଲଙ୍କୁ ଏୟାରଫୋର୍ସରେ ଆନାଉନ୍ସରର ଚାକିରି ମିଳିଥିଲା। ହେଲେ ସେ ମନା କରି ଦେଇଥିଲେ। କାରଣ ତାଙ୍କର ଲକ୍ଷ୍ୟ ହେଉଛି ଏକ ବଡ଼ ବିଜ୍‌ନେସ ମ୍ୟାନ୍‌ ହେବା।