ମହିଳାଙ୍କ ମୁହଁରୁ ଖୋଲିବ ବୁର୍ଖା! ପରମ୍ପରା ବନାମ ରାଜନୀତି

ଲଣ୍ଡନ: ପରମ୍ପରା ବନାମ ରାଜନୀତି । ବୁର୍ଖା ଉପରେ ଲାଗିବ ରୋକ୍‌। ମୁସଲିମ ମହିଳାମାନେ ମୁହଁ ଲୁଚାଇବା ପାଇଁ ବ୍ୟବହାର କରୁଥିବା ବୁର୍ଖାକୁ ନେଇ ଆରମ୍ଭ ହୋଛି ରାଜନୀତି। ୟୁକେ(ୟୁନାଇଟେଡ କିଙ୍ଗଡମ)ରେ ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ତା’ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ  ଆରମ୍ଭ ହୋଇଛି ଆଜେଣ୍ଡା  ରାଜନୀତି । ଏହିପରିପ୍ରେକ୍ଷୀରେ ଗୁରୁବାର ୟୁକେ-ଇଣ୍ଡିପେଣ୍ଡେଣ୍ଟ ପାର୍ଟି(ୟୁକେ ପିଆଇ) ତା’ର ରାଜନୈତିକ ଇସ୍ତହାର ପ୍ରକାଶ କରିଛି। ଇସ୍ତହାରରେ ମୁସଲିମ ମହିଳାଙ୍କୁ ଟାର୍ଗେଟ କରାଯାଇଛି। ସେମାନେ ମୁହଁରେ ବୁର୍ଖା ଘୋଡ଼ାଉ ଥିବାରୁ ଭିଟାମିନ ‘ଡି’ ପାଇବାରେ ବଞ୍ଚିତ ହେଉଛନ୍ତି।

ସୂର୍ଯ୍ୟକିରଣରେ ଥିବା ଭିଟାମିନ୍‌ ‘ଡି’ ଶରୀର ପାଇଁ ଅତ୍ୟନ୍ତ ଅପରିହାର୍ଯ୍ୟ। ଏହି ଭିଟାମିନ ‘ଡି’ ପାଇଁ ବୁର୍ଖା ପ୍ରତିବନ୍ଧକ ସାଜୁଛି ବୋଲି ଦଳ ପକ୍ଷରୁ କୁହାଯାଇଛି।  ତେଣୁ ଦଳ କ୍ଷମତାକୁ ଆସିଲେ ବୁର୍ଖା ହଟେଇବ ବୋଲି ୟୁକେପିଆଇ ଘୋଷଣା କରିଛି।  ସେହିପରି ବୁର୍ଖାକୁ ନେଇ ରହିଥିବା ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଏହି ଦଳ  ମତ ରଖିଛି। ବୁର୍ଖା ଯୋଗୁଁ ମହିଳାମାନେ ଭାବବିନମୟରେ ଅସୁବିଧା ଅନୁଭବ କରୁଛନ୍ତି।

ଚାକିରୀକ୍ଷେତ୍ରରେ ଇଣ୍ଟରଭ୍ୟୁରେ ସମସ୍ୟାରେ ପଡୁଛନ୍ତି। ବେଳେ ବେଳେ ବୁର୍ଖା ଯୋଗୁ ଅପରାଧରେ ସାମିଲ ହେଉଥିବା ମହିଳା ଖସି ଯାଉଛନ୍ତି। ସର୍ବୋପରି ସେମାନେ ଭିଟାମିନ୍‌ ଡି ପାଇବାରେ ସମସ୍ୟା ଉପୁଜୁଛି । ତେଣୁ  ବୁର୍ଖା ଉପରେ ରୋକ୍‌ ଲାଗାଇବାକୁ  ୟୁକେ-ଇଣ୍ଡିପଣ୍ଡେଣ୍ଟ ପାର୍ଟି ଯୁକ୍ତି ବାଢିଛି। ଏଥିରେ ମହିଳାଙ୍କ ମାନବିକ ଅଧିକାର କ୍ଷୁର୍ଣ୍ଣ ହେବ ନାହିଁ। ବରଂ ମହିଳାଙ୍କୁ ସମାନ ଅଧିକାର ଦେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ଦଳ ପକ୍ଷରୁ କୁହାଯାଇଛି।