ମାନିଲେ ଇମ୍ରାନ୍‌, ଚାଇନା ମୁସଲିମ୍‌ଙ୍କ ସ୍ଥିତି ବାବଦରେ କିଛି ବି ଜାଣନ୍ତିନି

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତୀୟ ଏବଂ ବିଶେଷ କରି କଶ୍ମିରୀ ମୁସଲିମ୍‌ମାନଙ୍କୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିବାବେଳେ ଏହା ପଛର କାରଣ ସେ ନିଜେ ଆଜି ପରୋକ୍ଷରେ ସ୍ୱୀକାର କରିଛନ୍ତି। ଖୋଦ୍‌ ଇମ୍ରାନ୍‌ କହିଛନ୍ତି, ସେ ଚାଇନାର ଉଇଘୁର ମୁସଲିମ୍‌ଙ୍କ ବାବଦରେ ସତେ କିଛି ବି ଜାଣନ୍ତିନି। ସେ କହିଛନ୍ତି ସେ କଶ୍ମୀରକୁ ନେଇ ଏତେ ବ୍ୟସ୍ତ ଯେ ଅନ୍ୟ କେଉଁ କଥା ଜାଣନ୍ତିନାହିଁ। ଅର୍ଥାତ ପରୋକ୍ଷରେ ମାନିଯାଇଛନ୍ତି, ସେ କେବଳ ଧର୍ମକୁ ଆଧାର କରି ଭାରତରେ ଅଶାନ୍ତି ସୃଷ୍ଟି କରିବା ପାଇଁ ମୁସଲିମ୍‌ଙ୍କୁ ଉସକାଇ ଆସିଛନ୍ତି। ଅନ୍ୟପକ୍ଷରେ ଚାଇନାରେ ନିଜର ଧାର୍ମିକ ସ୍ୱାଧୀନତା ହରାଇଥିବା ଉଇଘୁର ମୁସଲିମ୍‌ଙ୍କ ବାବଦରେ ସେ ଚିନ୍ତା ବି କରନ୍ତିନି ବୋଲି ସ୍ପଷ୍ଟ ହୋଇଯାଇଛି।

ସେ ଅଲ୍‌ ଜଜୀରାକୁ ଏକ ସାକ୍ଷାତକାରରେ ଧାରା ୩୭୦ ଉଚ୍ଛେଦକୁ ନେଇ କହିଛନ୍ତି, ପକାସ୍ତରନ ଏତେ ସବୁ ସମସ୍ୟାରେ ବୁଡ଼ି ରହିଛି ଯେ ତାଙ୍କର ପ୍ରାଥମିକତା ପାକିସ୍ତାନର ଲୋକଙ୍କ ପାଇଁ ରହିବ। ଇମ୍ରାନ୍‌ କହିଥିଲେ, ଆମେ କ୍ଷମତାକୁ ଆସିବା ପରେ ଅର୍ଥନୀତି ଏବଂ କଶ୍ମୀରକୁ ଛାଡ଼ିଦେଲେ ବେଶ୍‌ କିଛି ସମସ୍ୟା ସହିତ ଲଢ଼େଇ କରୁଛୁ। କିନ୍ତୁ ଚାଇନା ବାବଦରେ ଗୋଟିଏ କଥା କହିବି, ଏହି ଦେଶ ଆମର ସବୁଠାରୁ ଭଲ ବନ୍ଧୁ।

ଠିକ୍‌ ସେହି ସମୟରେ ତାଙ୍କୁ ଯେତେବେଳେ ଉଇଘୁର ମୁସଲିମ୍‌ଙ୍କ ବାବଦରେ ପଚରାଯାଇଥିଲା ସେ କହିଥିଲେ, ଏବେ ମୁଁ ପାକିସ୍ତାନ ନାଗରିକଙ୍କ ପ୍ରାଥମିକତା ଦେଉଛି। ତେଣୁ ମୋର ପ୍ରଥମ ଉଦ୍ୟମ ହେବ ମୋ ନିଜ ଦେଶକୁ ସାହାଯ୍ୟ କରିବା।

ବାରମ୍ବାର ୟୁ ଟର୍ଣ୍ଣ ନେଉଥିବା ପ୍ରଧାନମନ୍ତ୍ରୀ ବୋଲି କହି ଇମ୍ରାନ୍‌ଙ୍କୁ ସମାଲୋଚନା କରାଯାଉଥିବାରୁ ସେ ନିଜ ସପକ୍ଷରେ ଓକିଲାତି କରିଛନ୍ତି। ସେ କହିଛନ୍ତି, କେବଳ ଜଣେ ବୋକା ଏପରି କରିନଥାଏ। ସେ କହିଛନ୍ତି ଯଦି କେହି ଚାଲୁଥିବା ସମୟରେ ଆଗରେ କାନ୍ଥ ପଡ଼େ, ତାକୁ ମୋଡ଼ ନେବାକୁ ହୁଏ। ସେହିଭଳି କୌଣସି ନୀତି କାମ ନଦେଲେ ଏହା ବଦଳାଇବାକୁ ପଡ଼େ ବୋଲି ସେ କହିଛନ୍ତି। ଏପରି କରିବା ଲୋକ ହିଁ ବୁଦ୍ଧିମାନ ବୋଲି ସେ କହିଛନ୍ତି।

ସେ କହିଛନ୍ତି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧର ସମ୍ଭାବନା ବଢ଼ିଛି, କିନ୍ତୁ ପାକିସ୍ତାନ କେବେ ଯୁଦ୍ଧ ଆରମ୍ଭ କରିବ ନାହିଁ। ଗତ ୬ ସପ୍ତାହ ଧରି ୮୦ ଲକ୍ଷ ମୁସଲିମ୍‌ ବନ୍ଦୀ ଜୀବନ କାଟୁଥିବାବେଳେ ଭାରତ ସମଗ୍ର ବିଶ୍ୱର ଧ୍ୟାନକୁ ‘କଶ୍ମୀର’ ଉପରୁ ହଟାଇବା ପାଇଁ ପାକିସ୍ତାନକୁ ଆତଙ୍କବାଦ ସହ ଯୋଡ଼ୁଛି ବୋଲି ସେ ଅଭିଯୋଗ ଆଣିଥିଲେ।

ଇମ୍ରାନ୍‌ ଭାରତ ସହିତ ଆଲୋଚନାକୁ ନେଇ କହିଥିଲେ, ଜମ୍ମୁ-କଶ୍ମୀର ପାଇଁ ଲାଗୁ ହେଉଥିବା ଧାରା ୩୭୦ ଉଚ୍ଛେଦ ନହେବା ଯାଏ କୌଣସି ଆଲୋଚନା ହେବନାହିଁ। ପାକିସ୍ତାନ ପୂର୍ବରୁ ଆଲୋଚନା ପାଇଁ ପ୍ରୟାସ କରିଥିବା କଥା ଦର୍ଶାଇ ସେ କହିଥିଲେ ବର୍ତ୍ତମାନ ପରିସ୍ଥିତି ବଦଳିଛି।