ମସ୍କୋରେ ଖୋଲିବ ଇସ୍ରୋ ବୈଷୟିକ ସହାୟକ ୟୁନିଟ

ନୂଆଦିଲ୍ଲୀ: ରୁଷର ମସ୍କୋଠାରେ ଇସ୍ରୋ ବୈଷୟିକ ସହାୟକ ୟୁନିଟ (ଆଇଟିଏଲୟୁ) ଖୋଲିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ ଦେଇଛି। ରୁଷର ମସ୍କୋରେ ଖୋଲାଯିବାକୁ ଥିବା ଆଇଟିଏଲୟୁରେ କର୍ମଚାରୀଙ୍କ ଦରମା, କାର୍ଯ୍ୟାଳୟ ଖର୍ଚ୍ଚ, ଭଡ଼ା ଓ କର ବାବଦରେ ବାର୍ଷିକ ପାଖାପାଖି ୧.୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଆଇଟିଏଲୟୁ ମାଧ୍ୟମରେ ରୁଷ ଓ ପଡ଼ୋଶୀ ଦେଶ ସହ ଯଥା ସମୟରେ ଇସ୍ରୋର ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ସମନ୍ୱୟ ରକ୍ଷା କରାଯାଇପାରିବ। ଆଇଟିଏଲୟୁରେ ନିଯୁକ୍ତ ସମନ୍ୱୟ ଅଧିକାରୀ ସମ୍ପୃକ୍ତ ଦେଶରେ ବିଭିନ୍ନ ଗବେଷଣା, ପ୍ରଯୁକ୍ତି ବିଦ୍ୟା ଓ ଗବେଷକ, ସରକାରୀ ଏଜେନ୍ସି ଏବଂ ଶିଳ୍ପାନୁଷ୍ଠାନ ସହ ହୋଇଥିବା ବୈଠକରୁ ମିଳୁଥିବା ବୈଷୟିକ ସୂଚନା ପ୍ରଦାନ କରିବେ।

ମହାକାଶ ପ୍ରଯୁକ୍ତି ବିଦ୍ୟା ଉପରେ ଚାଲିଥିବା ଦ୍ୱିପାକ୍ଷିକ କାର୍ଯ୍ୟକ୍ରମକୁ ସେମାନେ ସମର୍ଥନ କରିବେ ଏବଂ ଇସ୍ରୋ ପକ୍ଷରୁ ଏନେଇ କାର୍ଯ୍ୟ କରାଯିବ। ଏହାଦ୍ୱାରା ପାରସ୍ପରିକ ପଦକ୍ଷେପ ଓ ଫଳାଫଳ ନେଇ ଇସ୍ରୋ, ରୁଷ ଏବଂ ଅନ୍ୟାନ୍ୟ ପଡ଼ୋଶୀ ଦେଶର ମହାକାଶ ଏଜେନ୍ସି ଓ ଶିଳ୍ପ ସହ ଏକାଠି କାର୍ଯ୍ୟ କରିପାରିବ।

୧୫ ଅଗଷ୍ଟ, ୨୦୨୨ ସୁଦ୍ଧା ମହାକାଶକୁ ମାନବ ଅଭିଯାନ ପଠାଇବାର ଲକ୍ଷ୍ୟକୁ ବାସ୍ତବ ରୂପ ଦେବା ପାଇଁ ଅନ୍ତର୍ଜତୀୟ ମହାକାଶ ଏଜେନ୍ସି ଠାରୁ ବୈଷୟିକ ସହାୟତା ଆବଶ୍ୟକ ହେବ। ମହାକାଶ ବିଜ୍ଞାନ କ୍ଷେତ୍ରରେ ରୁଷ ଏକ ଉନ୍ନତ ରାଷ୍ଟ୍ର ହୋଇଥିବାରୁ ବିଭିନ୍ନ ପ୍ରାସଙ୍ଗିକ କ୍ଷେତ୍ରରେ ଏହି ଦେଶ ସହିତ ବ୍ୟାପକ ଭାବେ ଜଡ଼ିତ ହୋଇ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖାଯାଇଛି।

ମସ୍କୋରେ ପ୍ରତିଷ୍ଠା ହେବାକୁ ଥିବା ଆଇଟିଏଲୟୁ ଜଣେ ଇସ୍ରୋ ବୈଜ୍ଞାନିକ/ଇଂଜିନିୟରଙ୍କ ଦ୍ୱାରା ପରିଚାଳିତ ହେବ। ଏମାନଙ୍କୁ ମହାକାଶ ପରାମର୍ଶଦାତା କୁହାଯିବ। ସେ ଇସ୍ରୋ ଦ୍ୱାରା ନିର୍ଦ୍ଦିଷ୍ଟ କାର୍ଯ୍ୟକାଳ ପାଇଁ ଏଠାରେ ନିଯୁକ୍ତ ହେବେ। ତାଙ୍କୁ ଜଣେ ଆଞ୍ଚଳିକ ଷ୍ଟାଫ୍ ସହାୟତା କରିବେ।