ସିଏଏ ହିଂସାକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ବିରୋଧରେ ସୃଷ୍ଟି ହୋଇଥିବା ଆନ୍ଦୋଳନ ଓ ହିଂସାକାଣ୍ଡ ସମ୍ପର୍କରେ ପ୍ରଥମଥର ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏହି ହିଂସାକାଣ୍ଡ ପାଇଁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ହାତ ରହିଛି ଏବଂ ଏହି ଗୋଷ୍ଠୀ ଦେଶର ଶାନ୍ତିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି ବୋଲି ମୋଦି କହିଛନ୍ତି। ସେହିପରି ଏହି ଆଇନ କୌଣସି ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କର କ୍ଷତି ପହଂଚାଇବ ନାହିଁ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, “ନାଗରିକତା ସଂଶୋଧନ ବିଧେୟକ ବିରୋଧରେ ହିଂସାତ୍ମକ ପ୍ରତିବାଦ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦୁଃଖଦାୟକ। ଆଲୋଚନା, ବିତର୍କ ଏବଂ ମତଭେଦ ଗଣତନ୍ତ୍ରର ମହତ୍ୱପୂର୍ଣ୍ଣ ଅଂଶ। କିନ୍ତୁ ସାର୍ବଜନୀନ ସମ୍ପତ୍ତି ନଷ୍ଟ ଓ ସାଧାରଣ ଜୀବନରେ ଶାନ୍ତିଭଙ୍ଗ କରିବା ଆମ ସଂସ୍କୃତି ନୁହେଁ।

ନାଗରିକ ସଂଶୋଧନ ବିଧେୟକ ୨୦୧୯ ସଂସଦର ଉଭୟ ଗୃହରେ ବ୍ୟାପକ ସମର୍ଥନ ସହ ପାରିତ ହୋଇଛି । ବହୁସଂଖ୍ୟାରେ ରାଜନୀତିକ ଦଳ ଏବଂ ସାଂସଦ ଏହାକୁ ସମର୍ଥନ କରିଛନ୍ତି। ଏହି ବିଧେୟକ ଭାରତର ସହାବସ୍ଥାନ, କରୁଣା, ଭାଇଚାରା ଏବଂ ସମସ୍ତଙ୍କୁ ଆପଣାଇବା ସଂସ୍କୃତିର ପ୍ରତିଫଳନ।

ମୁଁ ସମସ୍ତ ଦେଶବାସୀଙ୍କୁ ପୁନଃ ଆଶ୍ୱାସନା ଦେବାକୁ ଚାହେଁ ଯେ ଏହି ବିଧେୟକ କୌଣସି ସମ୍ପ୍ରଦାୟର କ୍ଷତି କରିବ ନାହିଁ । ଏହି ବିଧେୟକ ହେତୁ କୌଣସି ଭାରତୀୟଙ୍କୁ ଚିନ୍ତାପ୍ରକଟ କରିବାର ଆବଶ୍ୟକତା ନାହିଁ। ଏହା ସେମାନଙ୍କ ପାଇଁ ଯେଉଁମାନେ ଅନ୍ୟଦେଶରେ ବହୁ ବର୍ଷ ଧରି ପୀଡ଼ିତ ଏବଂ ଭାରତ ଛଡ଼ା ଅନ୍ୟ କୌଣସି ଜାଗାରେ ସେମାନଙ୍କ ପାଇଁ ଆଶ୍ରୟ ନାହିଁ ।

ସାଂପ୍ରତିକ ସମୟର ଆହ୍ୱାନ ଅନୁସାରେ ଆମ ସମସ୍ତଙ୍କୁ ଭାରତର ବିକାଶ ଏବଂ ପ୍ରତ୍ୟେକ ଭାରତୀୟ ବିଶେଷ କରି ଗରିବ, ନିଷ୍ପେସିତ ଓ ବଂଚିତଙ୍କ ସଶକ୍ତିକରଣ ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ ।

ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କୁ ଆମେ ଏକତା ଭାଙ୍ଗିବା ଏବଂ ହିଂସାତ୍ମକ କାଣ୍ଡ ଘଟାଇବାର ସୁଯୋଗ ଦେବାନାହିଁ । ବର୍ତ୍ତମାନ ଶାନ୍ତି, ଏକତା ଓ ଭାଇଚାରା ବଜାୟ ରଖିବାର ସମୟ । ମୁଁ ସମସ୍ତ ଦେଶବାସୀଙ୍କୁ ନିବେଦନ କରିବାକୁ ଚାହେଁ ଯେ, ସମସ୍ତ ପ୍ରକାରର ମିଥ୍ୟା ଓ ଗୁଜବଠାରୁ ଦୂରେଇ ରହୁନ୍ତୁ।”