ଏମିତି ଥିଲା କାର୍‌ର ସ୍ପିଡ: ଉଡି ଉଡି ଆସିଲା, ଦୁଇ ମହଲାରେ ପଶିଗଲା

କାଲିଫର୍ଣ୍ଣିଆ: ଭୂମିକମ୍ପ ହେଉ କି ଅନ୍ୟ କିଛି କାରଣ କୋଠାରେ କ୍ଷତିଗ୍ରସ୍ତ ହେବାର ଶୁଣିଥିବେ। ହେଲେ କାର ଯୋଗୁଁ କୌଣସି କୋଠାର ଦ୍ୱିତୀୟ ମହଲା କ୍ଷତିଗ୍ରସ୍ତ ହେବା ଶୁଣିଛନ୍ତି। ଏବେ ଭାବୁଥିବେ କାର ତ ରାସ୍ତାର ଗଡ଼େ ଓ ପାର୍କିଂରେ ରହେ। ଏହାଦ୍ୱାରା କୋଠାର ଦ୍ୱିତୀୟ ମହଲା କେମିତି କ୍ଷତିଗ୍ରସ୍ତ ହେବ। ଆମେରିକାରର କାଲିଫର୍ଣ୍ଣିଆରେ ଘଟିଛି ଏମିତି କିଛି, ଯେଉଁ କାରଣରୁ ଏକ କାର ଯୋଗୁଁ ଗୋଟେ କୋଠାର ଦ୍ୱିତୀୟ ମହଲା କ୍ଷତିଗ୍ରସ୍ତ ହୋଇଛି।

ଏକ କାର ଡିଭାଇଡରକୁ ଏତେ ଜୋରରେ ଧକ୍କା ଦେଇଥିଲା ଯେ, ଏହା ପବନରେ ଉଡିବା ପରି ଯାଇ ଏକ କୋଠାର ଦ୍ୱିତୀୟ ମହଲାରେ ପସିଯାଇଥିଲା। ଯାହାର ଫଟୋ ମିଡିଆକୁ ଆସିବା ପରେ ଭାଇରାଲ ହେବାରେ ଲାଗିଛି।

ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି, ଆଜି ସକାଳ ପ୍ରାୟ ସାଢେ ୫ଟାରେ ତାଙ୍କ ପାଖକୁ ଏକ କଲ୍‌ ଆସିଥିଲା। ଏଥିରେ ସାନ୍ତା ଏନା ଅଞ୍ଚଳରେ ଏକ କାର ଦୁର୍ଘଟଣା ହୋଇଥିବା କୁହାଯାଇଥିଲା। ଏହାପରେ ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

ବିଭାଗ ପକ୍ଷରୁ କୁହାଯାଇଛି, ଗାଡିଟି ଦ୍ରୁତଗତିରେ ଚାଲୁଥିଲା। ଏହା ଏକ ଡିଭାଇଡରରେ ପିଟି ହେବା ପରେ ଝିଟିକି ପଡ଼ି ପାଖରେ ଥିବା କୋଠାର ଦ୍ୱିତୀୟ ମହଲାରେ ପଶି ଯାଇଥିଲା। ଦୁର୍ଘଟଣାର କିଛି ସମୟ ପରେ ଉକ୍ତ କୋଠାରେ ନିଆଁ ଲାଗି ଯାଇଥିଲା। ଯାହାକୁ ଲିଭାଇ ଦିଆଯାଇଛି।

ଦୁର୍ଘଟଣାଗ୍ରସ୍ତ କାରରେ ଦୁଇଜଣ ବ୍ୟକ୍ତି ଥିଲେ। ଦୁର୍ଘଟଣା ବେଳେ ଜଣେ ବାହାରି ଯିବାକୁ ସକ୍ଷମ ହୋଇଥିଲା। ଅନ୍ୟ ଜଣଙ୍କୁ ପ୍ରାୟ ଘଣ୍ଟାଏ ପରେ କାରରୁ ଉଦ୍ଧାର କରାଯାଥିଲା।