ସାର୍ବଜନୀନ ହେଲା ସୁପ୍ରିମକୋର୍ଟରେ ପଡ଼ି ରହିଥିବା ମାମଲା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପଡି ରହିଥିବା ମାମଲା ଗୁଡିକର ସାର୍ବଜନୀନ କରାଯାଇଛି।  ପ୍ରଥମଥର ପାଇଁ କେଉଁ ବିଚାରପତି କେଉଁ ମାମଲାର ଶୁଣାଣି କରିବେ ସେ ନେଇ ସ୍ଥିର ହୋଇଛି। ଏଥିସହ ରୋଷ୍ଟର ପଦ୍ଧତିରେ ମାମଲା ଗୁଡିକର ଶୁଣାଣି ହେବ। ଏହି ପ୍ରକ୍ରିୟା ଆସନ୍ତା ସୋମବାରଠାରୁ କାର୍ଯ୍ୟକାରୀ ହେବା ସହ ନୂଆ କେସ ପାଇଁ ମଧ୍ୟ ଏହା ଲାଗୁ ହେବ।

ଆସନ୍ତା ସପ୍ତାହରୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ସମସ୍ତ ଜନସ୍ୱାର୍ଥ ମାମଲାର ଶୁଣାଣି କରିବେ। ଏଥିସହ ନିର୍ବାଚନ, ଅପରାଧିକ ମାମଲା, ସାମାଜିକ ସଶକ୍ତିକରଣ ଓ ସାମ୍ବାଧାନିକ ପଦରେ ନିଯୁକ୍ତି ନେଇ ଆଗତ ମାମଲାର ମଧ୍ୟ ଶୁଣାଣି କରିବେ। ବିଚାରପତି ଜଷ୍ଟିସ୍ ଜେ. ଚେଲମେଶ୍ୱର, ପରୋକ୍ଷ କର, ଶ୍ରମ ଓ ଖାଉଟି ସୁରକ୍ଷା ସମ୍ପର୍କିତ ମାମଲାର ଶୁଣାଣି କରିବେ। ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ, ଶ୍ରମ, ପରୋକ୍ଷ କର ଓ ଧାର୍ମିକ ମାମଲାର ଶୁଣାଣି କରିବେ। ବିଚାରପତି ଜଷ୍ଟିସ ମଦନ ଲୋକୁର, ଖଣି ଓ ଖଣିଜ ପଦାର୍ଥ, ସେନା ବାହିନୀ ଓ ଅର୍ଦ୍ଧସାମରିକ ବାହିନୀ ସମ୍ପର୍କିତ ମାମଲାର ଶୁଣାଣି କରିବେ।

ନିକଟରେ ସୁପ୍ରିମକୋର୍ଟର ଚାରି ଜଣ ବିଚାରପତି ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ମାମଲା ଗୁଡିକୁ କନିଷ୍ଠ ବିଚାରପତିଙ୍କୁ ଦିଆଯାଉଥିବା ନେଇ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ମାମଲା ଗୁଡିକର ସାର୍ବଜନୀନ କରାଯାଇଛି।