ଅଧା ଦେଶରେ ନୋଟ୍‌ବନ୍ଦୀ ପରି ସ୍ଥିତି: ବାହାଘର କାର୍ଡ ଦେଖାଇଲେ ବ୍ୟାଙ୍କ ଦେଉଛି ଟଙ୍କା, ନ ହେଲେ…

ନୂଆଦିଲ୍ଲୀ: ଦେଶର କିଛି ରାଜ୍ୟରେ ପୁଣି ଉପୁଜିଛି ବିମୁଦ୍ରାକରଣ ବା ନୋଟବନ୍ଦି ଭଳି ପରିସ୍ଥିତି। ଘଣ୍ଟା ଘଣ୍ଟା ଧରି ଏଟିଏମ୍‌ ଆଗରେ ଛିଡା ହେଲେ ମଧ୍ୟ ଗ୍ରାହକଙ୍କୁ ଖାଲି ହାତରେ ଫେରିବାକୁ ପଡୁଛି। ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ ଓ ବିହାର ସମେତ ଅନେକ ରାଜ୍ୟରେ ଲୋକେ ଏବେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏସବୁ ରାଜ୍ୟରେ ଲୋକେ ଏଟିଏମ୍‌ ଆଗରେ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଛିଡା ହେବା ପରେ ଖାଲି ହାତରେ ଫେରୁଛନ୍ତି। ସ୍ଥିତି ଏପରି ହୋଇଛି ଯେ, କିଛି ସ୍ଥାନରେ ଅତି ଜରୁରୀ କାର୍ଯ୍ୟର ପ୍ରମାଣ ଦେଲେ ଏଟିଏମ୍‌ରୁ ଟଙ୍କା କାଢ଼ିବାର ସୁବିଧା ଦିଆଯାଉଛି। ବିଶେଷ କରି ବାହାଘର ସିଜନ୍‌ ଚାଲିଥିବାରୁ ଲୋକେ ବହୁ ହଇରାଣ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିବାହ କାର୍ଡ ଦେଖାଇବା ପରେ କିଛି ସ୍ଥାନରେ ଲୋକଙ୍କୁ ବ୍ୟାଙ୍କରୁ ଟଙ୍କା ମିଳୁଛି।

ସୂଚନା ଅନୁଯାୟୀ, କିଛି ରାଜ୍ୟରେ ବ୍ୟାଙ୍କ ଗୁଡ଼ିକରେ ଟଙ୍କାର ଅଭାବ ଦେଖା ଦେଇଛି। ଟଙ୍କା ଅଭାବ ଥିବା ରାଜ୍ୟଗୁଡ଼ିକରୁ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କୁ ଲଗାତାର ଅଭିଯୋଗ ମିଳୁଛି। ବିଶେଷ କରି ଏହାର ଅଧିକ ପ୍ରଭାବ କୋ-ଅପରେଟିଭ୍‌ ବ୍ୟାଙ୍କ ଓ ଗ୍ରାମୀଣ ବ୍ୟାଙ୍କ ଉପରେ ପଡ଼ିଛି। ସମସ୍ୟାର ସମାଧରନ ପାଇଁ ଅର୍ଥ ମନ୍ତ୍ରାଳୟ ରିଜର୍ଭ ବ୍ୟାଙ୍କର ଅଧିକରୀଙ୍କ ସହ ଏକ ବୈଠକ କରିଛନ୍ତି।

ସୂଚନାଯୋଗ୍ୟ, ବଢୁଥିବା ଏନ୍‌ପିଏ (ନନ୍ ପରଫର୍ମିଂ ଆକାଉଣ୍ଟ) ବ୍ୟାଙ୍କ ଗୁଡ଼ିକୁ ସଂକଟରେ ପକାଇ ଦେଇଛି। ଏଥିସହ ଜମା ରାଶି ବ୍ୟବହାର ଅଟକଳ ଗ୍ରାହକଙ୍କୁ ଡରାଇ ଦେଇଛି। ଏହା ବ୍ୟତୀତ ୨୦୦୦ ଟଙ୍କିଆ ନୋଟ ଛପା ବନ୍ଦ ହେବା ଓ ୨୦୦ ଟଙ୍କିଆ ନୋଟ ପାଇଁ ଏଟିଏମ୍‌ର କ୍ୟଲିବ୍ରେଟ ନହେବା ମଧ୍ୟ ସମସ୍ୟା ସୃଷ୍ଟି କରୁଛି। ଏହି ସମସ୍ୟାର ପ୍ରଭାବ ଉତ୍ତରାଖଣ୍ଡ ଓ ବିହାରରେ ଅଧିକ ଦେଖିବାକୁ ମିଳିଛି। ଉତ୍ତରାଖଣ୍ଡର ଶ୍ରୀନଗର, ରୁଦ୍ର ପ୍ରୟାଗ ଭଳି ପର୍ବତୀୟ ଅଞ୍ଚଳରେ ଅଧିକ ସଂକଟ ଦେଖାଦେଇଛି। ଏଠାରେ ଦୋକାନୀମାନେ ୧୦୦୦ ଟଙ୍କା ଦେବାରେ ୧୦୦ ଟଙ୍କା ଚାର୍ଜ ନେଉଛନ୍ତି। ସେହିଭଳି ଚମ୍ପାବତ ଜିଲ୍ଲାରେ ବ୍ୟାଙ୍କକୁ ବାହାଘର କାର୍ଡ଼ ନେଇ ଦେଖାଇଲେ ଟଙ୍କା ମିଳୁଛି।

ସେପଟେ ବିହାର ଓ ଗୁଜରାଟରେ ବିମୁଦ୍ରାକରଣ ଭଳି ପରିସ୍ଥିତି ଦେଖାଦେଇଛି। ଏଟିଏମ୍ ଆଗରେ ଲମ୍ବା ଲାଇନ୍ ଲାଗୁଛି। ଏପରିକି ଗୁଜରାଟରେ ଟଙ୍କା ଉଠାଇବାର ସୀମା ଧାର୍ଯ୍ୟ କରିଦିଆଯାଇଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିଲ୍ଲୀର ୮୦ ପ୍ରତିଶତ ଏଟିଏମ୍ କ୍ୟାସଲେସ୍ ହୋଇପଡିଛି। ଯାହା କିଛି ଏଟିଏମ୍ ଅଛି, ସେଥିରୁ କେବଳ ୫ଶହ ଟଙ୍କିଆ ନୋଟ୍ ବାହାରୁଛି।

ଏଭଲି ସ୍ଥିତି ଆହୁରି ୨ରୁ ୩ ଦିନ ଲାଗି ରହିବ ବୋଲି କେନ୍ଦ୍ର ଅର୍ଥରାଷ୍ଟ୍ର ମନ୍ତ୍ରୀ କହିଛନ୍ତି। କିଛି ରାଜ୍ୟରେ ଅତ୍ୟଧିକ ନୋଟ୍ ଥିବାବେଳେ କିଛି ରାଜ୍ୟରେ ବହୁତ କମ ନୋଟ୍‌ ରହିଛି। ଏହି ସମସ୍ୟାର ସମାଧାନ ପାଇଁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ନୋଟ୍ ସ୍ଥାନାନ୍ତର କରାଯିବ ବୋଲି ସେ କହିଛନ୍ତି।