ଆସିଲା ଚୂଡ଼ାନ୍ତ ରାୟ: କାବେରୀ ନଦୀରୁ ଏମିତି ହେବ ଜଳ ଆବଣ୍ଟନ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ କାବେରୀ ଜଳ ବିବାଦ ମାମଲାର ଚୂଡ଼ାନ୍ତ ରାୟ ଆସିଛି। ତାମିଲନାଡ଼ୁ ଓ କର୍ଣ୍ଣାଟକ ମଧ୍ୟରେ ଜଳବଣ୍ଟନକୁ ନେଇ ବହୁ ବର୍ଷରୁ ଲାଗି ରହିଥିବା ମାମଲାର ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ।  ରାୟ ଅନୁସାରେ, ତାମିଲନାଡ଼ୁକୁ ୧୭୭.୨୫ TMC ଜଳ ମିଳିବାକୁ ଥିବା ବେଳେ କର୍ଣ୍ଣାଟକ ପାଇବ ୧୮୪.୭୫ TMC ଜଳ। କର୍ଣ୍ଣାଟକ ତାମିଲନାଡ଼ୁ ଠାରୁ ୧୪.୫ TMC ଅଧିକ ଜଳ ପାଇବା ନେଇ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ତେବେ କେରଳ ଓ ପୁଡୁଚେରୀର ଭାଗ ଅପରିବର୍ତ୍ତିତ ରହିଛି। କାବେରୀ ଜଳ ବଣ୍ଟନ ଟ୍ରିବ୍ୟୁନାଲ ୨୦୦୭ରେ ପ୍ରକାଶ କରିଥିବା ରାୟ ଅନୁସାରେ କେରଳ ୩୦ TMC ଓ ପୁଡୁଚେରୀ ୬ TMC ଜଳ ପାଇବେ।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର, ଜଷ୍ଟିସ୍ ଅମିତାଭ ରୟ ଏବଂ ଜଷ୍ଟିସ୍ ଏ.ଏମ୍. ଖାନ୍ଓ୍ୱିଲକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି ରାୟ ଶୁଣାଇଛନ୍ତି। ତେବେ ରାୟ ପ୍ରକାଶ ପରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଭୟ ରାଜ୍ୟରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଉଭୟ ରାଜ୍ୟ ମଧ୍ୟରେ ବସ୍ ଚଳାଚଳ ମଧ୍ୟ ବନ୍ଦ ରଖାଯାଇଛି। ତେବେ ମାଲ୍ ପରିବହନ ଓ ବ୍ୟକ୍ତିଗତ ଯାନବାହନ ଚଳାଚଳରେ କୌଣସି କଟକଣା ଜାରି କରାଯାଇନାହିଁ। ଦକ୍ଷିଣ ଭାରତର ଗଙ୍ଗା କୁହାଯାଉଥିବା କାବେରୀ ନଦୀ ଉଭୟ କର୍ଣ୍ଣାଟକ ଓ ତାମିଲନାଡ଼ୁର ଜୀବନ ରେଖା ହୋଇଥିବା ବେଳେ ଏହାର ଜଳବଣ୍ଟନ ନେଇ ଉଭୟ ରାଜ୍ୟ ମଧ୍ୟରେ ୧୨୦ରୁ ଅଧିକ ବର୍ଷ ଧରି ବିବାଦ ଲାଗି ରହିଥିଲା।  କାବେରୀ ଜଳ ବଣ୍ଟନ ଟ୍ରିବ୍ୟୁନାଲ ୨୦୦୭ରେ ପ୍ରକାଶ କରିଥିବା ରାୟ ବିରୋଧରେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କର୍ଣ୍ଣାଟକ, ତାମିଲନାଡ଼ୁ ଓ କେରଳ।