ରୋଟୋମାକ୍‌ କମ୍ପାନୀ ମାଲିକ ଓ ପୁଅ ଗିରଫ

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ରୋଟମାକ୍‌ ପେନ୍‌ କମ୍ପାନୀର ମାଲିକ ବିକ୍ରମ କୋଠାରୀ ଓ ତାଙ୍କ ପୁଅ ରାହୁଲଙ୍କୁ ଆଜି ଗିରଫ କରାଯାଇଛି। ୩୬୯୫ କୋଟି ଟଙ୍କାର ଅର୍ଥ ହେରଫେର ଅଭିଯୋଗରେ ଏହି ପିତାପୁତ୍ରଙ୍କୁ ସିବିଆଇ ଗିରଫ କରିଛି। ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦୀର୍ଘଦିନ ଧରି ଏହି ପିତାପୁତ୍ରଙ୍କୁ ପଚରା ଉଚରା କରାଯାଉଥିଲା। ଏପରିକି ରୋଟମ୍ୟାକ୍‌ ପେନ୍‌ କମ୍ପାନୀର ଅନେକ କାଗଜପତ୍ର ପୂର୍ବରୁ ଜବତ ହୋଇସାରିଛି । ଦିଲ୍ଲୀସ୍ଥିତ କୋଠାରୀଙ୍କ ଗୃହ ଓ କମ୍ପାନୀ ନିର୍ଦ୍ଦେଶକମାନଙ୍କ ଅଫିସ୍‌କୁ ମଧ୍ୟ ସିଲ୍‌ କରି ଦିଆଯାଇଛି।

ବ୍ୟାଙ୍କ ଅଫ୍‌ ବରୋଦାର ଅଭିଯୋଗ ମୁତାବକ ସିବିଆଇ ବିକ୍ରମ କୋଠାରୀ, ତାଙ୍କ ପତ୍ନୀ ଓ ଅନ୍ୟ କେତେକ ସମ୍ପର୍କୀୟଙ୍କ ନାମରେ ମନି ଲଣ୍ଡରିଂ ଆଇନ୍‌ ମୁତାବକ ମାମଲା ରୁଜୁ କରି ତଦନ୍ତ କରୁଥିଲା।  ସୂଚନାଯୋଗ୍ୟ ଯେ, ରୋଟମାଲ ଗ୍ଲୋବ ଉପରେ ୭ଟି ବ୍ୟାଙ୍କର ୩୬୯୫ କୋଟି ଟଙ୍କାର ବକେୟା ରହିଛି।