୧୫୦ଟି ସ୍ଥାନରେ ସିବିଆଇର ଅତର୍କିତ ଚଢ଼ଉ, ସ୍କାନରରେ ରେଳବାଇ ଓ କୋଇଲା ବିଭାଗ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ ଆଜି ଅତର୍କିତ ଭାବେ ଏକାସାଙ୍ଗରେ ଦେଶର ୧୫୦ଟି ସ୍ଥାନରେ ଚଢ଼ଉ କରିଛି। ଏହି ଚଢ଼ଉ ହୋଇଥିବା ସ୍ଥାନ ଗୁଡ଼ିକମଧ୍ୟରେ ଅନେକ ସରକାରୀ କାର୍ଯ୍ୟାଳୟ ରହିଛି। ବିଶେଷ କରି ରେଳବାଇ ଓ କୋଇଲା ବିଭାଗର ଏକାଧିକ ଅଫିସ ସିବିଆଇ ସ୍କାନରରେ ରହିଛି।

ଯେଉଁ ସବୁ ସରକାରୀ ଅଫିସରେ ସିବିଆଇ ଦୁର୍ନୀତିର ଗନ୍ଧ ବାରିଛି, ସେସବୁ ସ୍ଥାନରେ ହିଁ ଚଢ଼ଉ କରାଯାଇଥିବା ଜଣାପଡ଼ିଛି। ଅନେକ ସମୟରେ ସାଧାରଣ ଲୋକ ଓ କ୍ଷୁଦ୍ର ବ୍ୟବସାୟୀମାନେ ସରକାରୀ ଅଫିସରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।

ଏଥିସହ ସରକାରୀ ଅଫିସରେ ଲାଞ୍ଚ କାରବାର ହେଉଥିବା ଖବର ଆସୁଛି। ଏସବୁ ବିଷୟରେ ଜାଣିବା ପରେ ସିବିଆଇ ଦୁର୍ନୀତିଖୋର ଅଫିସରଙ୍କ ଉପରେ ଲଗାମ ଲଗାଇବା ପାଇଁ ଚଢ଼ଉ କରିଥିବା କୁହାଯାଉଛି। ତେବେ ଏଯାଏ ଏସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିପାରିନାହିଁ।