ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ କାର ଦୁର୍ଘଟଣା ପ୍ରସଙ୍ଗ: ସିବିଆଇ ଏଫ୍‌ଆଇଆରରେ ବିଜେପି ବିଧାୟକଙ୍କ ନାଁ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ କାର ଦୁର୍ଘଟଣା ପ୍ରସଙ୍ଗର ତଦନ୍ତ ଆରମ୍ଭ କରିଛି ସିବିଆଇ। ଗତ ରବିବାର ଦିନ ପୀଡ଼ିତାଙ୍କ କାର ରାଏବରେଲୀର ଯେଉଁ ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ସେଠାରେ ଆଜି ସିବିଆଇର ଏକ ଟିମ୍‌ ଛାନଭିନ୍‌ ଆରମ୍ଭ କରିଛି।

ଏଥିସହ ସିବିଆଇ ଆଜି ନିଲମ୍ବିତ ତଥା ଜେଲରେ ଥିବା ବିଜେପି ବିଧାୟକ କୁଲଦୀପ ସିଂହ ସେନଗାର ଓ ଅନ୍ୟ ୧୦ ଜଣଙ୍କ ନାଁରେ ଏଫ୍‌ଆଇଆର ରୁଜୁ କରିଛି। ଏହାବାଦ୍‌ ଅନ୍ୟ ୨୦ ଜଣଙ୍କ ନାଁରେ ମଧ୍ୟ ହତ୍ୟା ଉଦ୍ୟମ ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ସଙ୍ଗିନ ମାମଲା ମଧ୍ୟ ରୁଜୁ କରିଛି।

ସିବିଆଇ ତଦନ୍ତ ପାଇଁ ପୀଡ଼ିତାଙ୍କ ପରିବାର ଲୋକେ ଓ ବିରୋଧୀ ଦାବି କରୁଥିଲେ। ଏହି କାରଣରୁ ଉତ୍ତର ପ୍ରଦେଶ ସରକାର ସିବିଆଇକୁ ତଦନ୍ ତଭାର ଦେଇଛନ୍ତି। ତଦନ୍ତ ଆରମ୍ଭ କରିବା ପୂର୍ବରୁ ଉତ୍ତର ପ୍ରଦେଶ ପୁଲିସ୍‌ ଘଟଣାର ସମସ୍ତ ଦସ୍ତାବିଜ ସିବିଆଇ ଅଧିକାରୀଙ୍କୁ ହସ୍ତାନ୍ତର କରିଛି।

ପୂର୍ବରୁ ଉନ୍ନାଓ ଦୁଷ୍କର୍ମ ଘଟଣାର ତଦନ୍ତ ମଧ୍ୟ ସିବିଆଇ କରୁଥିଲା। ସିବିଆଇ ତଦନ୍ତ କରି ବିଜେପି ବିଧାୟକ କୁଲଦୀପ ସେନଗାରଙ୍କୁ ୨୦୧୮ ମସିହା ଏପ୍ରିଲ ମାସରେ ଗିରଫ କରିଥିଲା। ଏବେ ସେ ଜେଲରେ ରହିଛନ୍ତି। ତଥାପି ତାଙ୍କ ସମର୍ଥକମାନେ ବାରମ୍ବାର ପୀଡ଼ିତାଙ୍କୁ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି।

ରବିବାର ଦିନ ପୀଡ଼ିତା, ତାଙ୍କ ଓକିଲ ଏବଂ ସମ୍ପର୍କୀୟ ମହିଳାଙ୍କ ସହ ଏକ କାରରେ ଯାଉଥିବା ବେଳେ ଏକଦ୍ରୁତଗାମୀ ଟ୍ରକ୍‌ ସେମାନଙ୍କ କାରକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ପୀଡ଼ିତାଙ୍କ ଦୁଇ ସମ୍ପର୍କୀୟ ମହିଳାଙ୍କ ମୃତ୍ୟୁ ହୋଇଛି। ପୀଡ଼ିତା ଏବେ ବି ଭେଣ୍ଟିଲେଟରରେ ରହିଛନ୍ତି।