ନିଖୋଜ ହେବା ଆଗରୁ ଭାବପ୍ରବଣ ଚିଠି ଲେଖିଥିଲେ ସିସିଡି ମାଲିକ ସିଦ୍ଧାର୍ଥ

ନୂଆଦିଲ୍ଲୀ: ସୋମବାର ରାତିରୁ ଦେଶରେ କଫି ଚେନ୍‌ କ୍ୟାଫେ କଫି ଡେ’ର ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥ ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଖୋଜିବା ପାଇଁ ପୁଲିସ୍‌ ଠାରୁ ଆରମ୍ଭ କରି ତଟରକ୍ଷୀ ବାହିନୀ ଉଦ୍ୟମ କରୁଛନ୍ତି।

ସେ ନେତ୍ରବତୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ହେଲେ ଏଯାଏ ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ତେବେ ନିଖୋଜ ହେବା ପୂର୍ବରୁ ସିସିଡି କର୍ମଚାରୀ ଓ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ଭାବପ୍ରବଣର ଚିଠି ଲେଖିଛନ୍ତି। ଏଥିରେ ସେ ନିଜର ଆର୍ଥିକ ସ୍ଥିତି ଓ ବ୍ୟବସାୟରେ ବିଫଳତା କଥା ଉଲ୍ଲେଖ କରିଛନ୍ତି।

ସେ ଚିଠିରେ ଲେଖିଛନ୍ତି, “ମୋ ଉପରେ ଅହେତୁକ ବିଶ୍ୱାସ ଓ ଆସ୍ଥା ସ୍ଥାପନ କରିଥିବା ଲୋକଙ୍କୁ ମୁଁ କ୍ଷମା ମାଗୁଛି। ସେମାନଙ୍କ ପାଇଁ ମଧ୍ୟ ଦୁଃଖ ପ୍ରକାଶ କରୁଛି। ମୁଁ ଜଣେ ଉଦ୍ୟୋଗପତି ଭାବେ ବିଫଳ ହୋଇଛି। ମୁଁ ଦୀର୍ଘ ସମୟ ହେଲା ବିଭିନ୍ନ ସମସ୍ୟା ସହ ଲଢ଼ୁଥିଲି, କିନ୍ତୁ ଏବେ ମୁଁ ଏତେ ଚାପ ଆଉ ସମ୍ଭାଳି ପାରୁନାହିଁ।

ମୁଁ ସବୁ କିଛି ଛାଡ଼ିଦେବାକୁ ସ୍ଥିର କରିଛି। ଜଣେ ପାର୍ଟନର ମୋ ଉପରେ ଶେୟାର ଫେରାଇ ନେବାକୁ ବାରମ୍ବାର ଚାପ ପକାଉଛନ୍ତି। ୬ ମାସ ତଳେ ମୁଁ ମୋର ଜଣେ ବନ୍ଧୁଙ୍କ ଠାରୁ ବିପୁଳ ପରିମାଣର ଟଙ୍କା ଉଧାର ଆଣିଥିଲି। ଏହାସହ ଅନ୍ୟ କିଛି ବ୍ୟକ୍ତି ମଧ୍ୟ ମୋତେ ଟଙ୍କା ଦେଇଥିଲେ।

ହେଲେ ମୁଁ ଆଉ ଚାପ ସମ୍ଭାଳିପାରୁନାହିଁ। ଏତେ ପରିଶ୍ରମ କରି ମଧ୍ୟ ମୁଁ ଏକ ଲାଭଜନକ ବ୍ୟବସାୟ ମଡେଲ ସୃଷ୍ଟି କରିପାରିଲି ନାହିଁ। ମୁଁ ଏବେ ଏତେ ବଡ଼ ପରିମାଣର ଋଣ ପରିଶୋଧ କରିପାରୁନାହିଁ। କାହାକୁ ଠକିବା ମୋର ଉଦ୍ଦେଶ୍ୟ ନଥିଲା। ହେଲେ ଏବେ ମୁଁ ଅସହାୟ ବୋଧ କରୁଛି।”

ଏଥିସହ ଆୟକର ବିଭାଗର ଅଧିକାରୀମାନେ ତାଙ୍କ କମ୍ପାନୀକୁ ଜବତ କରିବା ପାଇଁ ବାରମ୍ବାର ଚାପ ପକାଇବା ସହ ହଇରାଣ କରୁଥିଲେ, ସେକଥା ମଧ୍ୟ ସିଦ୍ଧାର୍ଥ ତାଙ୍କ ‘ଶେଷ’ ଚିଠିରେ ଉଲ୍ଲେଖ କରିଛନ୍ତି।