‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’ ଯୋଜନା ଆଣିବ କେନ୍ଦ୍ର

ନୂଆଦିଲ୍ଲୀ: ‘ଗୋଟିଏ ଦେଶ-ଗୋଟିଏ ନିର୍ବାଚନ’ ଲାଗୁ କରାଯିବା ସପକ୍ଷରେ ମୋଦି ସରକାର ବିଚାର କରୁଛନ୍ତି। ଏବେ ସମାନ ନୀତିରେ ସରକାର ଆଣିବାକୁ ଯାଉଛନ୍ତି ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’ ଯୋଜନା। ଏହା ଦ୍ୱାରା ଜଣେ ଉପଭୋକ୍ତା ଦେଶର ଯେ କୌଣସି ଦୋକାନରୁ ଚାଉଳ, ଗହମ ଆଦି ପାଇ ପାରିବେ। ଖୁବ ଶୀଘ୍ର ମୋଦି ସରକାର ଦେଶବାସୀଙ୍କୁ ଏଭଳି ଏକକୀକରଣ ଯୋଜନା ଭେଟି ଦେବାକୁ ଯାଉଛନ୍ତି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଲାସ ପାସଓ୍ୱାନ ରାଜ୍ୟସଭାର ପ୍ରଶ୍ନୋତ୍ତର ବେଳେ ଏହା କହିଛନ୍ତି।

ଖାଲି ଏତିକି ଯୋଜନାର ବିଶେଷତ୍ୱ ନୁହେଁ, ଏହି ସେବା କ୍ୟାଶଲେସ ମୋଡରେ କରିବା ପାଇଁ ମଧ୍ୟ କେନ୍ଦ୍ର ଚିନ୍ତା କରୁଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ଏହାଦ୍ୱାରା ଦେଶର ଯେ କୌଣସି ଉପଭୋକ୍ତା ଅନ୍ୟ ସ୍ଥାନକୁ ଗଲେ ମଧ୍ୟ ସରକାରଙ୍କ ଏହି ଯୋଜନାର ଲାଭ ଉଠାଇ ପାରିବ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାସଓ୍ୱାନ ସ୍ପଷ୍ଟ କରିଛନ୍ତି ଯେ ପିଡିଏସ ଉପଭୋକ୍ତା ହେବା ପାଇଁ ଆଧାର କାର୍ଡ ଅନିର୍ବାର୍ଯ୍ୟ ନୁହେଁ।

ସୂଚନାଯୋଗ୍ୟ, ମୋଦି ସରକାର ୨୦୩୦ ସୁଦ୍ଧା ଦେଶରୁ ଗରିବୀ ହଟାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସରକାର ପ୍ରଥମ ପାଳିରେ ଖାଦ୍ୟ ସୁରକ୍ଷା ଯୋଜନା ପ୍ରଣୟନ କରିଥିଲେ। ଏବେ ଏହାରି ଆଧାରରେ ସହରାଞ୍ଚଳର ୫୦ ପ୍ରତିଶତ ଏବଂ ଗ୍ରାମାଞ୍ଚଳର ୭୫ ପ୍ରତିଶତ ଦୋକାନରେ ସାର୍ବଜନୀନ ଭାବରେ ପିଡିଏସ୍‌ ସାମଗ୍ରୀ ( ଚାଉଳ,ଗହମ, କିରୋସିନି ଆଦି)  ଯୋଗାଇବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି।