କେନ୍ଦ୍ରୀୟ କର୍ମଚାରୀଙ୍କ ମହାଙ୍ଗା ଭତ୍ତା ୬ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: ହୋଲି ଅବସରରେ ସରକାର ଆଜି କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୬ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଏହା ଦ୍ୱାରା ଏକ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଓ ପେନସନ୍‌ଧାରୀ ଉପକୃତ ହେବେ। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ବାର୍ଷିକ ଅତିରିକ୍ତ ୧୪,୭୨୪.୭୪ କୋଟି ଟଙ୍କାର ବୋଝ ବହନ କରିବାକୁ ପଡ଼ିବ। ୨୦୧୬ ଜାନୁଆରୀ ୧ରୁ ପିଛିଲା ଭାବେ ଏହାକୁ କାର୍ଯ୍ୟକାରୀ କରାଯିବ।

କେନ୍ଦ୍ର କ୍ୟାବିନେଟ୍ ବୈଠକ ପରେ ଏ ସଂପର୍କରେ ସୂଚନା ଦେଇ ଦୂରସଂଚାର ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଥିଲେ,“ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ୫୮ ଲକ୍ଷ ପେନ୍‌ସନ୍‌ଧାରୀ ଉପକୃତ ହେବେ। ୨୦୧୬-୧୭ ଆର୍ଥିକ ବର୍ଷରେ ଏଥିପାଇଁ କେନ୍ଦ୍ରୀୟ କର୍ମଚାରୀଙ୍କ ନିମନ୍ତେ ଅତିରିକ୍ତ ୬,୭୯୫.୫କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେହିଭଳି ପେନସନ୍‌ଧାରୀଙ୍କ ପାଇଁ ୭,୯୨୯.୨୪ କୋଟି ଟଙ୍କା ଅଧିକ ଖର୍ଚ୍ଚ କରାଯିବ।”