ଚୋରି ହେବା ପରେ ପଶିଲା ଚେତା! ଆଧାର ଡାଟା ସୁରକ୍ଷିତ ରଖିବା ନେଇ କେନ୍ଦ୍ର ଜାରି କଲା ନୂଆ ଗାଇଡ୍‌ଲାଇନ୍‌ସ

ନୂଆଦିଲ୍ଲୀ: ସରକାରୀ ୱେବ୍‌ସାଇଟ୍‌ରେ ଆଧାର ଡାଟା ଲିକ୍ ହେବା ନେଇ କିଛି ମାମଲା ସାମ୍ନାକୁ ଆସିବା ପରେ ଏବେ କେନ୍ଦ୍ର ସରକାର ସଜାଗ ହୋଇଯାଇଛନ୍ତି ଓ ଏହାର ସୁରକ୍ଷା ନେଇ ନୂଆ ଗାଇଡ୍‌ଲାଇନ୍‌ସ ଜାରି କରିଛନ୍ତି। ଆଧାରକାର୍ଡର ସମସ୍ତ ଡାଟା ଓ ବ୍ୟକ୍ତିଗତ ଆର୍ଥିକ ସୂଚନାକୁ ଏନ୍‌କ୍ରିପ୍ଟ କରିବା ପାଇଁ ସମସ୍ତ ମନ୍ତ୍ରାଳୟକୁ କୁହାଯାଇଛି। ଏହା ସହିତ ଡାଟା ଚୋରି ଭଳି ସ୍ଥିତିରେ କେଉଁ ପ୍ରକାର ଆଇନଗତ ସ୍ଥିତି ଉପୁଜିପାରେ ସେ ନେଇ ବି ଅଧିକାରୀମାନଙ୍କୁ ଅବଗତ କରାଯାଉଛି। ବର୍ତ୍ତମାନଠାରୁ ସରକାରୀ ବିଭାଗରେ ଆଧାର ଡାଟାର ସୁରକ୍ଷାଭାର କୌଣସି ଜଣେ ଅଧିକାରୀଙ୍କ ଉପରେ ନ୍ୟସ୍ତ ହେବ।

ଇଲେକ୍‌ଟ୍ରୋନିକ୍ସ ଆଣ୍ଡ୍ ଇନଫରମେସନ୍ ଟେକ୍ନୋଲୋଜି ମନ୍ତ୍ରାଳୟ ପକ୍ଷରୁ ସମସ୍ତ ମନ୍ତ୍ରାଳୟ ନିକଟକୁ ଆଧାର ଡାଟାକୁ ଆହୁରି ଭଲ ଭାବେ ସୁରକ୍ଷିତ କରି ରଖିବା ସଂପର୍କିତ ନୂଆ ଗାଇଡ୍‌ଲାଇନ୍ସ ପଠାଇ ଦିଆଯାଇଛି।

ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ସବୁ ମନ୍ତ୍ରାଳୟକୁ ଓ ସରକାରୀ ବିଭାଗକୁ ସେମାନଙ୍କ ୱେବସାଇଟ୍‌ର କଣ୍ଟେଣ୍ଟ୍ ସମୀକ୍ଷା କରିବାକୁ କୁହାଯାଇଛି। ଏହା ସହିତ ସେଥିରେ ଯେପରି କାହାରି ବ୍ୟକ୍ତିଗତ ଡାଟା ଡିସ୍‌ପ୍ଲେ ହେଉ ନ ଥିବ ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି। ଆଧାର ଡାଟା ପରିଚାଳନା ନେଇ ୩୬ଟି ଗାଇଡ୍‌ଲାଇନ୍ ଜାରି କରାଯାଇଛି। ସେଥିରୁ ୨୭ଟିରେ କ’ଣ କରିବାକୁ ହେବ ତାହା କୁହାଯାଇଛି। ଆଉ ୯ଟିରେ କ’ଣ ନ କରାଯିବ ନାହିଁ ତାହା କୁହାଯାଇଛି। ଆଧାର ଡାଟା ଓ ବ୍ୟାଙ୍କ ସଂପର୍କିତ ତଥ୍ୟ ଲୁଚାଇବାକୁ କୁହାଯାଇଛି। ତାହା ସହିତ ଡାଟାର ଏନ୍‌କ୍ରିପ୍ଟ କରିବାକୁ କୁହାଯାଇଛି। ବ୍ୟକ୍ତିଗତ ଡାଟାଗୁଡ଼ିକର ସୁରକ୍ଷା ପାଇଁ ନିୟମିତ ବ୍ୟବଧାନରେ ଅଡିଟ୍ କରିବା ପାଇଁ ବି କୁହାଯାଇଛି।

ତେର ହଜାର ଆଧାର କାର୍ଡ ଧାରକଙ୍କ ଡାଟା ସରକାରୀ ୱେବସାଇଟରୁ ଚୋରି ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ଆଧାର ଡାଟା ଚୋରି ନେଇ ବେଙ୍ଗଲୁରୁ ସ୍ଥିତ ସେଣ୍ଟର ଫର୍‌ ଇଣ୍ଟରନେଟ୍ ଆଣ୍ଡ ସୋସାଇଟି (ସିଆଇଏସ୍‌) ପକ୍ଷରୁ କରାଯାଇଥିବା ଗବେଷଣାରେ କୁହାଯାଇଥିଲା।

ସୌଜନ୍ୟ- ନବ୍‌ଭାରତ ଟାଇମ୍ସ