ସିଗ୍‌ନାଲ୍‌ ମିଳିଲାନି ବୋଲି ଗଛରେ ଚଢ଼ିଗଲେ କେନ୍ଦ୍ର ସରକାରଙ୍କ ଏହି ମନ୍ତ୍ରୀ; ପଢ଼ନ୍ତୁ ପୂରା ମାମଲା

ଜୟପୁର: ଡିଜିଟାଲ ଇଣ୍ଡିଆକୁ ନେଇ ଚାରିଆଡ଼େ ଜୋରସୋରରେ ଚାଲିଛି ଚର୍ଚ୍ଚା। କିନ୍ତୁ ବାସ୍ତବତା କ’ଣ ତାହା କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ମେଘୱାଲ ତାଙ୍କ ନିଜ ସରକାରଙ୍କୁ ଦେଖାଇ ଦେଇଛନ୍ତି।

କଥାଟା ଏମିତି। ମନ୍ତ୍ରୀଜୀ ବିକାନେରର ଢୋଲିଆ ଗାଁକୁ ଯାଇଥିଲେ। ସେଠାରେ ଲୋକେ ଅଭିଯୋଗ କଲେ ଯେ ସେମାନଙ୍କ ଡାକ୍ତରଖାନାରେ ନର୍ସ ନାହାନ୍ତି। ଏହା ଶୁଣି ଅର୍ଜୁନ ମେଘୱାଲ ସଙ୍ଗେ ସଙ୍ଗେ ପକେଟ୍‌ରୁ ମୋବାଇଲ୍ କାଢ଼ିଲେ ଓ ବିକାନେରର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟକୁ ନମ୍ବର ଲଗାଇଲେ। କିନ୍ତୁ ଫୋନ୍ ଲାଗିଲା ନାହିଁ। କାରଣ ତାଙ୍କ ମୋବାଇଲ୍‌ ସିଗ୍‌ନାଲ୍‌ ପୂରା ଶୂନ ଥିଲା। ଗାଁଲୋକେ କହିଲେ ଗଛ ଉପରେ ଚଢ଼ିଲେ ସିଗ୍‌ନାଲ୍ ଆସିପାରେ। ସେଥିପାଇଁ ମନ୍ତ୍ରୀଜୀଙ୍କ ପାଇଁ ଶିଡ଼ି ମଗା ଗଲା। ଶିଡ଼ିକୁ ଗଛ ଦେହରେ ଲଗାଇ ଦିଆଗଲା। ଶିଡ଼ି ଦ୍ୱାରା ଗଛ ଉପରକୁ ଚଢ଼ିଲେ ମନ୍ତ୍ରୀ। ତା’ପରେ ଲଗାଇଲେ ଫୋନ୍। ଏଥର ଫୋନ୍ ଲାଗିଲା। ସ୍ଥାନୀୟ ଡାକ୍ତରଖାନାରେ ଶୀଘ୍ର ନର୍ସ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ।

ଏହି ଘଟଣାରୁ ଜଣାପଡ଼ିଲା ଯେ ଡିଜିଟାଲ ଇଣ୍ଡିଆ ନେଇ ଅନେକ ବଡ଼ ବଡ଼ କଥା କୁହାଯାଉଥିଲେ ହେଁ ଏବେବି ଅନେକ ସ୍ଥାନରେ ଗଛ ଉପରେ ନ ଚଢ଼ିଲେ ଲୋକେ ଏଥିରେ ସାମିଲ ହୋଇପାରନ୍ତି ନାହିଁ।

ରିପୋର୍ଟ ଓ ଫଟୋ- ଏନ୍‌ଡିଟିଭି ଇଣ୍ଡିଆ