ସଂସଦରେ ପ୍ରତାପଙ୍କ ଓଜସ୍ୱିନୀ ଭାଷଣ, ମୁହଁ ମୋଡ଼ିଦେଲେ ସୋନିଆ

ଓଡ଼ିଆ, ହିନ୍ଦୀ, ବଙ୍ଗଳା, ସଂସ୍କୃତ ଓ ଇଂରାଜୀ ଭାଷାରେ ଭାଷଣ ଦେଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ: ସଂସଦର ଚଳିତ ଅଧିବେଶନର ପ୍ରାରମ୍ଭରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଇଥିବା ଅଭିଭାଷଣ ଉପରେ ଆଜି ଉଭୟ ଗୃହରେ ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଛି। ରାଜ୍ୟସଭାରେ ଜେ.ପି ନଡ୍ଡା ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିବାବେଳେ ଲୋକସଭାରେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଧନ୍ୟବାଦ ପ୍ରସ୍ତାବ ଆଗତ କରିଛନ୍ତି। ପ୍ରତାପ ପାଞ୍ଚଟି ଭାଷା (ଓଡ଼ିଆ, ହିନ୍ଦୀ, ବଙ୍ଗଳା, ସଂସ୍କୃତ ଓ ଇଂରାଜୀ)ରେ ଓଜସ୍ୱିନୀ ଭାଷଣ ଦେଇ ଆଜି ସାରା ଦେଶରେ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।  ନିଜ ଅଭିଭାଷଣରେ ରାଜନୀତି, ରାମାୟଣ, ପୂର୍ବର କଂଗ୍ରେସ ସରକାର ଓ ତାଙ୍କ ସରକାର ବିଷୟରେ ସେ ଅନେକ କଥା କହିଛନ୍ତି। ଶ୍ରୀ ଷଡ଼ଙ୍ଗୀ କ’ଣ ସବୁ କହିଛନ୍ତି, ଚୁମ୍ବକରେ ପଢ଼ି ନିଅନ୍ତୁ।

  • ରାଜନୀତି ମୋ ପାଇଁ ଜନସେବାର ଏକ ମାଧ୍ୟମ
  • ଜନମତକୁ ବିନମ୍ରତାର ସହ ଗ୍ରହଣ କରିବା ସଭ୍ୟ ଆଚରଣ
  • ପୂର୍ବରୁ ଟୁଜି, ଥ୍ରିଜି ଆଦି ବିଭିନ୍ନ ଦୁର୍ନୀତିରେ ସରକାର ବୁଡ଼ି ରହିଥିଲା
  • ବିଗତ ୫ ବର୍ଷରେ ସରକାରରେ ଦୁର୍ନୀତିର ସାମାନ୍ୟ ଛିଟା ଲାଗିନି
  • ଦେଶରେ ସର୍ଜିକାଲ ଷ୍ଟ୍ରାଇକ, ଏୟାର ଷ୍ଟ୍ରାଇକ ହେଲା। କିନ୍ତୁ ବିରୋଧୀ ଏହାର ପ୍ରମାଣ ମାଗିଲେ। ବାପା କିଏ ଜାଣିବା ପାଇଁ ମା’ କଣ ଡିଏନ୍‌ଏ ପରୀକ୍ଷା କରିବାକୁ କହେ।
  • ମୁଁ ଏକ ସାଧାରଣ ପରିବାରରୁ ଏଠାକୁ ଆସିଛି, ଆମ ପ୍ରଧାନମନ୍ତ୍ରୀ ମଧ୍ୟ ଏକ ସାଧାରଣ ପରିବାରରୁ ଆସିଛନ୍ତି। ଜଣେ ସାଧାରଣ ଚା ବାଲା ଆଜି ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି।
  • ଦୀର୍ଘ ବର୍ଷ ଧରି କଂଗ୍ରେସ ଦେଶରେ ଶାସନ କରିଛି, ୫ ବର୍ଷର ବିଜେପି ସରକାର ପ୍ରତି ବିରୋଧୀ କାହିଁକି ଅସହିଷ୍ଣୁ ହୋଇପଡ଼ୁଛନ୍ତି?
  • ପ୍ରତ୍ୟେକ ଫିଲ୍ମରେ ହିରୋ ଓ ଭିଲେନ ରହିଥାନ୍ତି। ମୋଦିଙ୍କ ଏହି ବିଜୟୀ ପାଇଁ କଂଗ୍ରେସକୁ ଧନ୍ୟବାଦ
  • ପଶ୍ଚିମବଙ୍ଗ ସରକାର ଏକ ଯାତ୍ରା ପାର୍ଟି, ସେମାନେ କ’ଣ କରିବେ ପ୍ରଥମେ ସ୍ଥିର କରନ୍ତୁ
  • ପ୍ରଧାନମନ୍ତ୍ରୀ କହିଥିଲେ ସେ ଦେଶର ପ୍ରଧାନସେବକ। ନିଜ କଥାକୁ ପ୍ରଧାନମନ୍ତ୍ରୀ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି
  • ଯେଉଁମାନେ ଲୋକଙ୍କ ବିଶ୍ୱାସ ଭାଙ୍ଗିଥିଲେ, ସେମାନେ ମୋଦିଙ୍କୁ ସହି ପାରୁନାହାନ୍ତି
  • ଭଲ କଥାକୁ ପ୍ରଶଂସା କରିବା ପାଇଁ ବିରୋଧୀ ମନସ୍ଥ କରିବା ଉଚିତ୍
  • ବିରୋଧୀ ମୋଦି ସରକାରରେ ହୋଇଥିବା ବାଲାକୋଟ ଆକ୍ରମଣ, ସର୍ଜିକାଲ ଷ୍ଟ୍ରାଇକ ଆକ୍ରମଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ଉଚିତ୍
  • ୧୯୭୧ ଯୁଦ୍ଧ ବେଳେ ଇନ୍ଦିରା ଗାନ୍ଧିଙ୍କୁ ବାଜପେୟୀ ପ୍ରଶଂସା କରିଥିଲେ। କିନ୍ତୁ ପାକିସ୍ତାନ ମୁଣ୍ଡ ନୁଆଁଇବା ପରେ ବି ବିରୋଧୀ କାହିଁକି ସରକାରକୁ ପ୍ରଶଂସା କରୁ ନାହାନ୍ତି।
  • କଂଗ୍ରେସ ଉଦ୍ଦେଶ୍ୟରେ କହିଥିଲେ, ଏବେ ବି ସମୟ ଅଛି ପଶ୍ଚାତାପ କରି ମୋଦିଙ୍କୁ କ୍ଷମା ମାଗି ନିଅ। ଆର ଥରକୁ ଲୋକେ ବିରୋଧୀ ଦଳ ମାନ୍ୟତା ଦେଇ ଦେବେ।
  • ଦେଶର ଜନତା କୌଣସି ଭେଜାଲ ମିଶ୍ରଣକୁ ଗ୍ରହଣ କଲେନି, ସେମାନେ ଶୁଦ୍ଧମାଲ୍ ନରେନ୍ଦ୍ର ମୋଦିଙ୍କୁ ପୁଣି ଗ୍ରହଣ କଲେ
  • ନିର୍ବାଚନରେ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ, ୧୨ ପୂର୍ବ ମୁଖ୍ୟମନ୍ତ୍ରୀ ହାରିଲେ। ମୋଦିଙ୍କ ଉପରେ ସାଧାରଣ ଲୋକଙ୍କର ରହିଥିବା ଅଖଣ୍ଡ ବିଶ୍ୱାସ ପୁଣି ପ୍ରମାଣିତ ହୋଇଛି।
  • ପ୍ରଧାନମନ୍ତ୍ରୀ ବାଲେଶ୍ୱରର ଆଶା କର୍ମୀ ଯମୁନାମଣି ଓ କଟକର ଚା ବିକାଳି ଡି. ପ୍ରକାଶ ରାଓଙ୍କ ଭଳି ସାଧାରଣ ମଣିଷଙ୍କ କଥା କହିଲେ। ସେ ସେମାନଙ୍କ ଭଳି ଲୁକ୍କାୟିତ ପ୍ରତିଭାଙ୍କୁ ଖୋଜି ଖୋଜି ବାହାର କରନ୍ତି।
  • ଭାରତରେ ଜନ୍ମ ହେବା ପାଇଁ ଦେବତାମାନେ ମଧ୍ୟ ତପସ୍ୟା କରିଥିଲେ। ଭାରତ ଆମର ପବିତ୍ର ଭୂମି। ଥରେ ବିବେକାନନ୍ଦ କହିଥିଲେ, ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ଅନ୍ୟ ସବୁ ଦେବତାଙ୍କୁ ପୂଜା କରିବା ଛାଡ଼ିଦେଇ କେବଳ ପବିତ୍ର ଭାରତ ମାତାଙ୍କୁ ପୂଜା କର।
  • କ୍ରାନ୍ତିକାରୀ ମାନଙ୍କର ଉଦାହରଣ ଦେଇଥିଲେ ପ୍ରତାପ ଷଡ଼ଙ୍ଗୀ। ବଙ୍ଗଳା ଭୂମିରେ ସନ୍ତ୍ରାସବାଦୀ ବାହାରିଛନ୍ତି, ଯେଉଁମାନେ ଗଣତନ୍ତ୍ରକୁ ହତ୍ୟା କରିବାକୁ ଯାଉଛନ୍ତି।
  • କଂଗ୍ରେସ ଭାଇମାନେ କୁହନ୍ତି,  ପ୍ରଧାନମନ୍ତ୍ରୀ ଭ୍ରମଣରେ ଅଧିକ ଖର୍ଚ୍ଚ କରୁଛନ୍ତି। କିନ୍ତୁ ମୁଁ ଏଠାରେ କହିବାକୁ ଚାହୁଁଛି, ମୋଦିଙ୍କ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଭାରତର ଛବି ବଦଳିଛି। ସ୍ଥିତି ଏପରି ହୋଇଛି ଯେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ମଧ୍ୟ ଆଜି ଶାନ୍ତିର ବାର୍ତ୍ତା ପଠାଉଛନ୍ତି।
  • ଭାଷଣ ଶେଷ କଲା ବେଳେ କହିଥିଲେ- ଥରେ ଭୁଲ୍ ଯୋଗୁ ଦେଶ ବିଭାଜିତ ହୋଇଥିଲା। ତେଣୁ ଏଭଳି ଭୁଲ୍ ଆଉ ନ ହେଉ। ସମସ୍ତ ଦଳ ଏକାଠି ହୋଇ କାମ କରନ୍ତୁ, ଯେମିତି ଗଣତନ୍ତ୍ରକୁ ଆଉ ସେମିତି ସ୍ଥିତି ଦେଖିବାକୁ ପଡ଼ିବ ନାହିଁ।
  • ନିମ୍ନ ଭିଡିଓରେ ଶ୍ରୀ ଷଡ଼ଙ୍ଗୀଙ୍କ ଭାଷଣ ଶୁଣନ୍ତୁ-