ବନ୍ଦ ଲଫାଫାରେ ରାଫେଲ୍‌ ଯୁଦ୍ଧ ବିମାନର ଦାମ ଜଣାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ବହୁ ବାଧ୍ୟବାଧକତା ତଥା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର କେତେ ଟଙ୍କା ଦେଇ ଫ୍ରାନ୍ସଠାରୁ ୩୬ଟି ରାଫେଲ୍‌ ଯୁଦ୍ଧ ବିମାନ କିଣିଛନ୍ତି, ତା’ର ତଥ୍ୟ ଆଜି ଏକ ବନ୍ଦ ଲଫାଫାରେ କୋର୍ଟଙ୍କୁ ଜଣାଇଛନ୍ତି। ଏଥିସହ ରାଫେଲ୍‌ ଯୁଦ୍ଧ ବିମାନ କ୍ରୟ ନିଷ୍ପତ୍ତି ସଂକ୍ରାନ୍ତ ସମସ୍ତ ତଥ୍ୟକୁ ମଧ୍ୟ କେନ୍ଦ୍ର ସରକାର ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇଛନ୍ତି। କେନ୍ଦ୍ର ସରକାର ଦାଖଲ କରିଥିବା ସିଲ୍‌ ଲଫାଫା ଉପରେ “୩୬ଟି ରାଫେଲ୍‌ ଯୁଦ୍ଧ ବିମାନ କ୍ରୟର ସମସ୍ତ ତଥ୍ୟ” ଉଲ୍ଲେଖ କରାଯାଇଛି।

ଅକ୍ଟୋବର ୩୧ରେ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ କାହିଁକି ରାଫେଲ୍‌ ଯୁଦ୍ଧ ବିମାନର ତଥ୍ୟ ସାର୍ବଜନୀନ କରାଯାଇ ପାରିବ ନାହିଁ, ସେକଥା ସତ୍ୟପାଠ ଜରିଆରେ ଦେବାକୁ କହିଥିଲେ। ଏହାର ଜବାବ୍‌ ଦେଇ କେନ୍ଦ୍ର ସରକାର କହିଥିଲେ, ରାଫେଲ୍‌ ଯୁଦ୍ଧ ବିମାନ ଡିଲ୍‌ ସମ୍ପର୍କରେ କୌଣସି ତଥ୍ୟ ଲୁଚାଇବାର ନାହିଁ। କେନ୍ଦ୍ର ସରକାର ଦେଶର ସୁରକ୍ଷା ଦୃଷ୍ଟିରୁ କେବଳ ଏହି ତଥ୍ୟ ସର୍ବୋଚ୍ଚ ଅଦାଲତଙ୍କ ବିଚାରପତିଙ୍କୁ ଜଣାଇପାରିବେ।

ତଦ୍‌ନୁଯାୟୀ, ଆଜି କେନ୍ଦ୍ର ସରକାର ବନ୍ଦ ଲଫାଫାରେ ସମସ୍ତ ତଥ୍ୟ ଅଦାଲତଙ୍କୁ ଜଣାଇଛନ୍ତି। ଏହି ରିପୋର୍ଟରେ ଫ୍ରାନ୍ସ କମ୍ପାନୀ ଡାସଲଟ୍‌ ତା’ର ପାର୍ଟନର ଚୟନ କେମିତି କରିଥିଲା, ତା’ର ମଧ୍ୟ ତଥ୍ୟ ରହିଛି।

କେନ୍ଦ୍ର ସରକାର ଦସ୍ତାବିଜ ଦାଖଲ କରିବା ବେଳେ କହିଛନ୍ତି, “ ଫ୍ରାନ୍ସଠାରୁ ରାଫେଲ୍‌ ଯୁଦ୍ଧ ବିମାନ କିଣିବା ସମ୍ପର୍କିତ ଡିଲ୍‌ କରିବା ବେଳେ ସବୁ ନିୟମକୁ ପାଳନ କରାଯାଇଛି। ରାଫେଲ୍‌ ଯୁଦ୍ଧ ଡିଲ୍‌ ପୂର୍ଣ୍ଣାଙ୍ଗ ରୂପ ନେବା ପୂର୍ବରୁ ଦୀର୍ଘ ୧ ବର୍ଷ କାଳ ଭାରତ ସରକାର ଫ୍ରାନ୍ସ ସରକାରଙ୍କ ସହ ଆଲୋଚନା କରିଥିଲେ। କ୍ୟାବିନେଟ୍‌ କମିଟି ଅନ୍‌ ସିକ୍ୟୁରିଟି(ସିସିଏସ୍‌) ସହ ଆଲୋଚନା ପରେ ହିଁ ଫ୍ରାନ୍ସ ସହ ରାଫେଲ୍‌ ଡିଲ୍‌ କରାଯାଇଥିଲା।

ଅଫ୍‌ଶୋର ପାର୍ଟନର ଚୟନରେ କେନ୍ଦ୍ର ସରକାରଙ୍କର କୌଣସି ଭୂମିକା ନଥିଲା। ନିୟମ ଅନୁଯାୟୀ, ବିଦେଶୀ କମ୍ପାନୀ ନିଜ ଇଚ୍ଛାରେ ତା’ର ପାର୍ଟନର ଚୟନ କରିପାରିବ। ୟୁପିଏ ସରକାରଙ୍କ ଅମଳରେ ପ୍ରଚଳିତ ନିୟମ ୨୦୧୩ ଅନୁସାରେ ସବୁ କିଛି କରାଯାଇଛି।”

ସୁପ୍ରିମକୋର୍ଟ ଆସନ୍ତା ବୁଧବାର ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି ଦିନ ଧାର୍ଯ୍ୟ କରିଛନ୍ତି।

ବିରୋଧୀ ଅଭିଯୋଗ କରିଥିଲେ ଯେ କେନ୍ଦ୍ର ସରକାର ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ କମ୍ପାନୀଙ୍କୁ ଫାଇଦା ଦେବାକୁ ଡାସଲଟ୍‌କୁ ଚୁକ୍ତି କରିବାକୁ କହିଥିଲେ। ତେଣୁ ଏଥିପାଇଁ ବ୍ୟାପକ ହେରଫେର ହୋଇଥିବା ସେମାନେ ଅଭିଯୋଗ କରିଥିଲେ।