ଲୋକସଭାରେ ଆସିଲା ଗରିବଙ୍କୁ ୧୦% ସଂରକ୍ଷଣ ବିଲ୍‌: ବିତର୍କ ପୂର୍ବରୁ ଆଲୋଚନା

ନୂଆଦିଲ୍ଲୀ: ସାଧାରଣ ବର୍ଗରେ ଥିବା ଆର୍ଥିକ ପଛୁଆ ଶ୍ରେଣୀର ଲୋକଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦% ସଂରକ୍ଷଣ ଦେବାକୁ କେନ୍ଦ୍ର ସରକାର ଆଣିଥିବା ବିଲ୍‌କୁ ଆଜି ଲୋକସଭାରେ ଆଗତ କରିଛନ୍ତି। ୧୨୪ ସମ୍ବିଧାନ ସଂଶୋଧନ ବିଲ୍‌ ୨୦୧୯କୁ ଗତକାଲି କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ ଦେଇଥିଲେ।

କେନ୍ଦ୍ରମନ୍ତ୍ରୀ ଥାୱରଚାନ୍ଦ ଗେହଲଟ୍‌ ଆଜି ଲୋକସଭାରେ ଏହି ସାମ୍ବିଧାନିକ ସଂଶୋଧନ ବିଲକୁ ଉପସ୍ଥାପନ କରିଥିଲେ। ଏହା ଉପରେ ସନ୍ଧ୍ୟା ୫ଟାରେ ଆଲୋଚନା କରାଯିବ। ଲୋକସଭାରେ କେନ୍ଦ୍ର ସରକାରଙ୍କ ସଂଖ୍ୟାଗରିଷ୍ଠତା ଥିବାରୁ ବିଲ୍‌ଟି ପାସ୍‌ ହେବା ଏକ ପ୍ରକାରର ନିଶ୍ଚିତ। କିନ୍ତୁ ଆସନ୍ତାକାଲି ଏହା ରାଜ୍ୟସଭାରେ ଅସଲି ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବ।

ବର୍ତ୍ତମାନ ପରିସ୍ଥିତିରେ ସାଧାରଣ ବର୍ଗର ଗରିବ ଲୋକମାନେ ଅର୍ଥ ଅଭାବରୁ ଉଚ୍ଚ ଶିକ୍ଷା କିମ୍ବା ସରକାରୀ ଚାକିରି ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ଏକ ସଂରକ୍ଷଣ ବିଲ୍‌ ଆଣିଛନ୍ତି। ଲୋକସଭାରେ ସରକାରଙ୍କ ପାଖରେ ବିଲ୍‌ ପାସ୍‌ ପାଇଁ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ଥିଲେ ହେଁ କେନ୍ଦ୍ର ସରକାର ବିରୋଧୀଙ୍କ ସହ ଏ ବିଷୟରେ ଆଲୋଚନା ଆରମ୍ଭ କରିଛନ୍ତି। ସୂତ୍ର ଅନୁସାରେ ବିତର୍କ ପୂର୍ବରୁ ସରକାର ପ୍ରମୁଖ ବିରୋଧୀ ଦଳଗୁଡ଼ିକ ସହ ଏହି ବିଲ୍‌ ସମ୍ପର୍କରେ ଆଲୋଚନା ଆରମ୍ଭ କରିଛନ୍ତି।

ଏଭଳି ଏକ ବିଲ୍‌ ଭୋଟ ବ୍ୟାଙ୍କକୁ ପ୍ରଭାବିତ କରିବାର ଆଶଙ୍କା ଥିବାରୁ ବିରୋଧୀ ଦଳଗୁଡ଼ିକ ଏହାକୁ ସିଧାସଳଖ ବିରୋଧ କରିବାକୁ ଚାହୁଁନାହାନ୍ତି। ବିଏସ୍‌ପି ସୁପ୍ରିମୋ ମାୟାବତୀ ବିଲ୍‌କୁ ସମର୍ଥନ କରିବେ ବୋଲି ଖୋଲାଖୋଲି ମତ ଦେଇଛନ୍ତି। କିନ୍ତୁ ସେ ବିଜେପି ଏଭଳି ଏକ ବିଲ୍‌ ଆଣି ଭୋଟ ବ୍ୟାଙ୍କ ରାଜନୀତି କରୁଛି ବୋଲି କହିଛନ୍ତି। ଅନ୍ୟପକ୍ଷରେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ବିଲ୍‌କୁ ସମର୍ଥନ ପାଇଁ କେନ୍ଦ୍ର ସରକାର ଓବିସି ବର୍ଗଙ୍କୁ ୫୪% ସଂରକ୍ଷଣ ଦେବାକୁ ଦାବି କରିଛି।

ବର୍ତ୍ତମାନ ଲୋକସଭାରେ ୫୨୩ ଜଣ ସାଂସଦ ଅଛନ୍ତି। ତେଣୁ ବିଲ୍‌ ପାସ୍‌ କରିବାକୁ ୩୪୯ ସଦସ୍ୟଙ୍କ ସମର୍ଥନ ଦରକାର। ବିଜେପି ପାଖରେ ୨୬୮ଟି ଆସନ ଥିବା ବେଳେ କଂଗ୍ରେସ ୪୫, ସମାଜବାଦୀ ପାର୍ଟି ୭, ଏଆଇଏମ୍‌ଆଇଏମ୍‌ ୧, ଏଆଇଏଡିଏମକେ ୩୭, ଟିଏମ୍‌ସି ୩୪, ବିଜେଡି ୧୯, ଟିଡିପି ୧୫ ଓ ଅନ୍ୟାନ୍ୟଙ୍କର ୯୭ଟି ଆସନ ରହିଛି।