ଚେନ୍ନାଇରେ ପୁଣି ବର୍ଷା

ଚେନ୍ନାଇ: ତାମିଲନାଡୁରେ ବନ୍ୟା ପରିସ୍ଥିତିରେ ସୁଧାର ଆସୁଥିବା ବେଳେ ରବିବାର ପୁଣି ବର୍ଷା ହୋଇଛି । ଏପରି ସ୍ଥିତିରେ ବିପନ୍ନଙ୍କ ଅସୁବିଧା ଆହୁରି ବଢି ଯାଇଛି। ଚେନ୍ନାଇରୁ ବିମାନ ଉଡ଼ାଣ ପାଇଁ ଡିଜିସିଏ ପକ୍ଷରୁ ଆଜି ଅନୁମତି ମିଳିଛି। ବନ୍ୟା ପାଇଁ ଚେନ୍ନାଇ ବିମାନ ବନ୍ଦର କର୍ତ୍ତୃପକ୍ଷ ଉଡ଼ାଣ ରଦ୍ଦ କରିବା ପରେ ୩୪ଟି ବିମାନ ଉଡାଣ ପାଇଁ ସେଠାରେ ଅପେକ୍ଷାରେ ରହିଛି। ସହରରେ ୯୦ ପ୍ରତିଶତ ସ୍ଥାନରେ ବିଦ୍ୟୁତ୍ ଓ ଅଧିକାଂଶ ସ୍ଥାନରେ ପାନୀୟ ଜଳ ଯୋଗାଣ ସେବା ସ୍ୱାଭାବିକ ହୋଇଛି। ଟ୍ରେନ୍, ବସ୍ ସେବା ମଧ୍ୟ କିଛି କିଛି ସ୍ଥାନରେ ଆରମ୍ଭ ହୋଇଛି ।

ସେହିପରି ଗମନାଗମନର ସୁଧାର ଆସିବା ପରେ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ଲୋକଙ୍କୁ ପିଇବା ପାଣି ବୋଟଲ୍ ସହ ଖାଦ୍ୟ, ଔଷଧ ଆଦି ଯୋଗାଇ ଦିଆଯାଉଛି। ୫୦ଟି ଏନଡିଆରଏଫ ଟିମ୍ ଓ ସେନା ରିଲିଫ୍ କାର୍ଯ୍ୟରେ ସହାୟତା କରୁଛନ୍ତି । ଚେନ୍ନାଇ ବର୍ଷାକୁ ନେଇ ନାସା ପକ୍ଷରୁ ଜାରି ଏକ ଭିଡିଓ ନଭେମ୍ୱର ୨୮ରୁ ଡିସେମ୍ୱର ୪ ତାରିଖ ମଧ୍ୟରେ ସହରରେ କିଭଳି ବର୍ଷା ହୋଇଥିଲା ତାହା ଦର୍ଶାଯାଉଛି।