ରାମ ରହିମଙ୍କ ଆଶ୍ରମରେ ‍‍ବିସ୍ଫୋରକ କାରଖାନା ଠାବ

ଚଣ୍ଡିଗଡ଼: ଡେରା ସଚ୍ଚା ସୌଦା ଆଶ୍ରମରେ ବେଆଇନ ବିସ୍ଫୋରକ କାରଖାନା।  ସିର୍ସାରେ ଥିବା ଡେରା ସଚ୍ଚା ସୌଦା ଆଶ୍ରମ ପରିସରରେ ଆଜି ଏକ ବିସ୍ଫୋରକ ତିଆରି କାରଖାନା ଠାବ କରାଯାଇଛି। ଏଠାରୁ ୮୨ ପେଟି ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।  ଏହାସହ ପଞ୍ଜୀକରଣ ହୋଇନଥିବା ଦାମୀ କାର୍‌ ଓ ଅନେକ ପୁରୁଣା ଅଚଳ ନୋଟ୍‌ ମଧ୍ୟ ଜବତ କରାଯାଇଛି। ବୋମା କାରଖାନାକୁ ସିଲ୍ କରି ଦିଆଯାଇଛି।

ଆଜି ଦ୍ୱିତୀୟ ଦିନରେ ଡେରା ସଚ୍ଚା ସୌଦା ଆଶ୍ରମରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଏଥିରେ ପୋଲିସ୍ ଓ ଅର୍ଦ୍ଧସାମରିକ ବାହିନୀର ଯବାନମାନଙ୍କୁ ସାମିଲ କରାଯାଇଛି। ଗତକାଲି ହୋଇଥିବା ସର୍ଚ୍ଚ ଅପରେସନ୍‌ରେ ଡେରାରେ ୨ଟି ରୁମକୁ ସିଲ୍ କରାଯାଇଥିଲା।  ହାର୍ଡ ଡିକ୍ସ ଓ ଟଙ୍କା ଜବତ କରାଯାଇଥିଳା।

ତଲାସି ଅଭିଯାନରେ ୪୧ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ସହ ୪ କଲମ୍ ସେନା ଓ ୪ଟି ଜିଲ୍ଲାର ପୋଲିସ  ମୁତୟନ ହୋଇଛନ୍ତି।  ବୋମା ନିଷ୍କ୍ରିୟ କାରୀ ସ୍କ୍ୱାଡ୍‌ ସହ ଡଗ୍ ସ୍କ୍ୱାଡ୍‌ ମିଶି ପୁରା ଆଶ୍ରମକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି। ଡେରା ମୁଖ୍ୟାଳୟକୁ ଲାଗି  ରହିଥିବା ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ତଲାସି ଅଭିଯାନ ଶେଷ ହେବା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ।

ଡେରା ମୁଖ୍ୟାଳୟରେ ତଲାସି କରିବା ପାଇଁ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  ଅବସରପ୍ରାପ୍ତ ସେସନ ଜଜ୍ ଜଷ୍ଟିସ ଏ.କେ.ଏସ. ପନୱାରଙ୍କୁ ଏଥିପାଇଁ କୋର୍ଟ କମିଶନର ନିଯୁକ୍ତ କରାଯାଇଛି।  ତଲାସି ବେଳେ ଶାନ୍ତି ବଜାୟ ରଖିବାକୁ ଡେରା ମୁଖପାତ୍ର ବିପାସନା ଇନସାନ୍ ଡେରା ସମର୍ଥକମାନଙ୍କୁ ଅନୁରୋଧ କରିଛନ୍ତି।