ସେପ୍ଟେମ୍ବର ୬ରେ ଚନ୍ଦ୍ରପୃଷ୍ଠରେ ପହଞ୍ଚି କଣ କରିବ ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ଆଜି ଚନ୍ଦ୍ରଯାନ-୨ର ଉତ୍‌କ୍ଷେପଣ କରି ଇତିହାସ ରଚିଛି। ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ମଧ୍ୟାହ୍ନ ୨.୪୩ରେ ଏହା ‘ଜହ୍ନମାମୁ’ ଅଭିମୁଖେ ଉଡ଼ାଣ ଭରିଛି। ଜୁଲାଇ ୧୫ ରାତି ୨.୫୧ରେ ଚନ୍ଦ୍ରଯାନ-୨ର ଉତ୍‌କ୍ଷେପଣ ହେବାର ଥିଲା। କିନ୍ତୁ ବୈଷୟିକ ତ୍ରୁଟି ଯୋଗୁ ଶେଷ ମୁହୂର୍ତ୍ତରେ ଏହାକୁ ସ୍ଥଗିତ କରାଯାଇଥିଲା।

ଚନ୍ଦ୍ରଯାନ-୨ ହେଉଛି ଭାରତ ପାଇଁ ଦ୍ୱିତୀୟ ମହତ୍ୱାକାଂକ୍ଷୀ ଚନ୍ଦ୍ର ମିଶନ। ଏହାକୁ ଇସ୍ରୋର ‘ବାହୁବଳୀ’ ଜିଏସଏଲଭି ଏମକେ-୩ ରକେଟ୍‌ ଦ୍ୱାରା ଲଞ୍ଚ କରାଯାଇଛି। ୬୪୦ ଟନ୍‌ ଓଜନର ଏହି ଜିଏସଏଲଭି ଏମକେ-୩ ରକେଟ୍‌ର ଲମ୍ବ ୪୪ ମିଟର। ଏହି ରକେଟ୍‌ରେ ୩.୮ ଟନ୍‌ ଓଜନର ଚନ୍ଦ୍ରଯାନ ରହିଛି। ଚନ୍ଦ୍ରଯାନ-୨ ପ୍ରକଳ୍ପ ପାଇଁ ମୋଟ ୯୭୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଯଦି ଚନ୍ଦ୍ରଯାନ-୨ ଜୁଲାଇ ୧୫ରେ ଉତ୍‌କ୍ଷେପଣ ହୋଇଥାଆନ୍ତା, ତା’ହେଲେ ସେପ୍ଟେମ୍ବର ୬ ସୁଦ୍ଧା ଏହା ଚନ୍ଦ୍ରପୃଷ୍ଠରେ ଓହ୍ଲାଇ ଥାଆନ୍ତା। ତେବେ ଏହା ଜୁଲାଇ ୨୨ରେ ଉତ୍‌କ୍ଷେପଣ ହୋଇଥିଲେ ହେଁ ଅବତରଣ ତାରିଖରେ କୌଣସି ପରିବର୍ତ୍ତନ ହେବନାହିଁ।

ଏବେ ଚନ୍ଦ୍ରଯାନ-୨ ୪୮ ଦିନ ପରେ ଅର୍ଥାତ ସେପ୍ଟେମ୍ବର ୬ରେ ହିଁ ଚନ୍ଦ୍ରପୃଷ୍ଠରେ ପହଞ୍ଚିବ। ପୂର୍ବରୁ ପୃଥିବୀ ଚାରିପାଖରେ ଚନ୍ଦ୍ରଯାନ-୨ ୫ଥର ଘୂରି ଥାଆନ୍ତା। ହେଲେ ଏବେ ଏହା ମାତ୍ର ୪ ରାଉଣ୍ଡ ବୁଲିବ।

ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଦୂରତା ୩,୮୪,୪୦୦ କିମି। ଉଡ଼ାଣ କିଛି ମିନିଟ୍‌ ମଧ୍ୟରେ ୩୭୫ କୋଟି ଟଙ୍କାରେ ନିର୍ମିତ ଜିଏସଏଲଭି ଏମକେ-୩ ରକେଟ୍‌ ୬୦୩ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଚନ୍ଦ୍ରଯାନ-୨କୁ ପୃଥିବୀର କକ୍ଷପଥରେ ଅବସ୍ଥାପିତ କରିଛି। ଏହି ଠାରୁ ହିଁ ଆରମ୍ଭ ହୋଇଛି ଜହ୍ନକୁ ଯାତ୍ରା। ଚନ୍ଦ୍ରଯାନ-୨ରେ ଥିବା ଲ୍ୟାଣ୍ଡର ‘ବିକ୍ରମ’ ଓ ରୋଭର ‘ପ୍ରଜ୍ଞା’ ଚନ୍ଦ୍ରପୃଷ୍ଠ ପର୍ଯ୍ୟନ୍ତ ଯିବେ। ଇସ୍ରୋ ପ୍ରଥମେ ୨୦୧୪ ମସିହା ଡିସେମ୍ବର ୧୮, ୨୦୧୭ ମସିହା ଫେବୃଆରୀ ୫ ଓ ୨୦୧୮ ମସିହା ନଭେମ୍ବର ୧୪ରେ ୩ଟି ଜିଏସଏଲଭି ଏମକେ-୩ ରକେଟ୍‌ ଉତ୍‌କ୍ଷେପଣ କରିଥିଲା।

ଉତ୍‌କ୍ଷେପଣର ୪୮ ଦିନ ପରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ପହଞ୍ଚିବ। ଏହାପରେ ‘ବିକ୍ରମ’ ଠାରୁ ‘ପ୍ରଜ୍ଞାନ’ ଅଲଗା ହୋଇଯିବ। ‘ପ୍ରଜ୍ଞା’ ୧୪ ଦିନ କାଳ ଚନ୍ଦ୍ରପୃଷ୍ଠରେ ଅନୁଧ୍ୟାନ କରିବ। ‘ବିକ୍ରମ’ ମଧ୍ୟ ଅନୁରୂପ ଭାବେ ୧୪ ଦିନ ଯାଏ ନିଜର ମିଶନ ଜାରି ରଖିବ। ଉଭୟ ବର୍ଷେ ଯାଏ ଅର୍ବିଟରେ କାର୍ଯ୍ୟକ୍ଷମ ରହିବେ।

‘ପ୍ରଜ୍ଞାନ’ ଚନ୍ଦ୍ରପୃଷ୍ଠରେ ଥିବା ମାଗ୍ନେସିୟମ,କ୍ୟାଲସିୟମ ଓ ଆଇରନ ଭଳି ଉପାଦାନର ସନ୍ଧାନ ପାଇଁ ଚନ୍ଦ୍ରପୃଷ୍ଠରେ ଥିବା ଶିଳାର ଫଟୋ ଉଠାଇବ। ସେହିପରି ଚନ୍ଦ୍ରର ଅନ୍ଧକାର ପାର୍ଶ୍ୱର ମଧ୍ୟ ଅନୁଧ୍ୟାନ କରିବ। ଏହି ଚନ୍ଦ୍ରଯାନ-୨ରେ ଥିବା ପେ-ଲୋଡ୍ ଗୁଡ଼ିକ ପୃଥିବୀ ସହ ଚନ୍ଦ୍ରର ଇତିହାସ ସମ୍ପର୍କରେ ଅନୁଧ୍ୟାନ କରିବ।