ଇତିହାସ ରଚିଲା ଭାରତ, ଜହ୍ନ ମାମୁ ଘରକୁ ଗଲା ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ: ଭାରତୀୟ ସ୍ପେଶ ଇତିହାସରେ ଯୋଡ଼ି ହୋଇଛି ସ୍ୱର୍ଣ୍ଣିମ ଅଧ୍ୟାୟ। ଆମେରିକା, ଚାଇନା ଓ ରୁଷ ପରେ ୪ର୍ଥ ଦେଶ ଭାବେ ଭାରତ ଆଜି ତା’ର ଚନ୍ଦ୍ରଯାତ୍ରା ଆରମ୍ଭ କରିଛି। ଆଜି ଠିକ୍‌ ମଧ୍ୟାହ୍ନ ୨.୪୩ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ-୨ ଜହ୍ନ ମାମୁ ଘର ଅଭିମୁଖେ ଉଡ଼ାଣ ଭରିଛି।

ଇସ୍ରୋର ଜିଏସ୍‌ଏଲଭି-ଏମକେ-୩ ଦ୍ୱାରା ଚନ୍ଦ୍ରଯାନ-୨ ଚନ୍ଦ୍ରକୁ ଯାଇଛି। ଏହି ଜିଏଲଏଲଭି-ଏମକେ-୩ ଇସ୍ରୋର ବାହୁବଳୀ ଭାବେ ପରିଚିତ। ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାକୁ ନେଇ ଗଠିତ ଚନ୍ଦ୍ରଯାନ-୨ରେ ୧୪ଟି ପେ ଲୋଡ୍‌ ପଠାଯାଇଛି। ଏହା ମଧ୍ୟରୁ ୮ଟି ଅର୍ବିଟରରେ ରହିଥିବା ବେଳେ ବିକ୍ରମରେ ୪ଟି ଓ ପ୍ରଜ୍ଞାରେ ୨ଟି ପେ ଲୋଡ୍‌ ରହିଛି।

ଏହି ଚନ୍ଦ୍ରଯାନ-୨ ୪୮ ଦିନ ପରେ ଚନ୍ଦ୍ର ପୃଷ୍ଠରେ ପହଞ୍ଚିବ। ଏହି ପ୍ରକଳ୍ପ ପାଇଁ ୯୭୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ଗତ ୧୫ ତାରିଖରେ ଏହି ମିଶନ୍‌ ହେବାର ଥିଲା। ହେଲେ ଶେଷ ମୁହୂର୍ତ୍ତରେ କ୍ରାଓଜେନିକ ଇଞ୍ଜିନରେ ତ୍ରୁଟି ଯୋଗୁ ଉତ୍‌କ୍ଷେପଣକୁ ସ୍ଥଗିତ ରଖାଯାଇଥିଲା।