ନକ୍ସଲଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୩ ମୃତ

ରାୟପୁର: ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଗୋଡ଼ଗାଁ ଜଙ୍ଗଲ ନିକଟରେ ଗତକାଲି ସନ୍ଧ୍ୟାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଦୁଇ ଜଣ ମହିଳା ଓ ଜଣେ ନାବାଳିକାର ମୃତ୍ୟୁ ଘଟିଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ତିନି ଜଣ ମହିଳା ଓ ଜଣେ ଦୁଇ ବର୍ଷର ଶିଶୁ ଅଛନ୍ତି।  ନକ୍ସଲମାନେ ଏହି ଲ୍ୟାଣ୍ଡମାଇନ୍ ଖଞ୍ଜି ଥିଲେ ବୋଲି କୁହାଯାଉଛି।

ହତାହତମାନେ ତୁମନାର ଗାଁର। ସୋନପୁର ଓ କୁରୁଷ୍ଣର ଗାଁ ମଧ୍ୟରେ ନିର୍ମାଣାଧୀନ ରାସ୍ତାରେ ଏହି ଘଟଣା ଘଟିଥିଲା। ଆହତ ଓ ମୃତକଙ୍କ ମାନଙ୍କୁ ସ୍ଥାନୀୟ ଲୋକେ ନାରାୟଣପୁର ହସ୍‌ପିଟାଲ୍‌କୁ ଆଣିବା ପରେ ଘଟଣା ସଂପର୍କରେ ଜଣାପଡ଼ିଥିଲା। ଏହା ପରେ ସୁରକ୍ଷା କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠା ଯାଇଥିଲା।

ବସ୍ତର ରେଞ୍ଜର ଆଇଜି ଏସ୍‌ଆର୍‌ପି କାଲୁରୀ କହିଛନ୍ତି,“ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ୍ କରି ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ପୋତି ଥିଲେ। ସେମାନେ ଅଧିକାଂଶ ସମୟରେ ଗଛ ନିକଟରେ ଅବା କଲଭର୍ଟ ତଳେ ଲ୍ୟାଣ୍ଡମାଇନ୍ ପୋତି ଥାଆନ୍ତି। ଅତୀତରେ ବସ୍ତର ଅଞ୍ଚଳରେ ସୁରକ୍ଷାକର୍ମୀ ଓ ସାଧାରଣ ଲୋକେ ମାଓବାଦୀଙ୍କ ଏଭଳି ବିସ୍ଫୋରଣର ଶିକାର ହୋଇଛନ୍ତି।”