ଚିନ୍ତାଗୁଫା ଆକ୍ରମଣର ପ୍ରତିଶୋଧ ନେଲେ ସୁରକ୍ଷାକର୍ମୀ: ବିଜାପୁର ଏନ୍‌କାଉଣ୍ଟରରେ ୨୦ ମାଓବାଦୀ ମୃତ

ରାୟପୁର: ଛତିଶଗଡ଼ ଚିନ୍ତାଗୁଫା ଆକ୍ରମଣର ପ୍ରତିଶୋଧ ନେଲା ସୁରକ୍ଷା ବାହିନୀ। ବିଜାପୁର ଜିଲ୍ଲାରେ ଆଜି ଏକ ବଡ଼ ଧରଣର ମାଓ ବିରୋଧୀ ଅପରେସନ୍‌ରେ ୨୦ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏନେଇ ସିଆପିଏଫ୍‌ ଆଇଜି ସୂଚନା ଦେଇଛନ୍ତି।

ବିଜାପୁର ଜିଲ୍ଲା ବାସାଗୁଡ଼ା ଥାନାଞ୍ଚଳର ରାୟଗୁଡ଼ମ ଜଙ୍ଗଲରେ ଏହି ଏନ୍‌କାଉଣ୍ଟର ହୋଇଛି। ଅପରେସନ୍‌ରେ ସିଆରପିଏଫ୍‌, କୋବ୍ରା ଯବାନ ଓ ସ୍ଥାନୀୟ ଜିଲ୍ଲା ପୋଲିସ ସାମିଲ ହୋଇଥିଲେ। ଗତ ୪ ଦିନ ଧରି ଏହି ଅପରେସନ୍ ଚାଲିଥିଲା। ତେବେ ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେବା ଲାଗି ପ୍ରଥମଥର ପାଇଁ ମାଓବାଦୀମାନେ କୋବ୍ରା ୟୁନିଫର୍ମରେ ଥିଲେ। ରାୟଗୁଡ଼ମ ଜଙ୍ଗଲର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ମାଓବାଦୀଙ୍କ ଗତିବିଧି ସଂପର୍କରେ ସୂଚନା ପାଇ ୩୫୦ ସୁରକ୍ଷାକର୍ମୀଙ୍କୁ ନେଇ ଏହି ଅପରେସନ୍ ଚାଲିଥିଲା। ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ୨୦ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣଙ୍କୁ ଗିରଫ କରାଯାଇଛି।

ଏପ୍ରିଲ ୨୫ ତାରିଖରେ ଛତିଶଗଡ଼ ସୁକମା ଜିଲ୍ଲା ଅନ୍ତର୍ଗତ ଚିନ୍ତାଗୁଫାରେ ମାଓବାଦୀଙ୍କ ଆକ୍ରମଣରେ ୨୫ ଜଣ ସୁରକ୍ଷାକର୍ମୀ ସହିଦ୍‌ ହୋଇଥିଲେ। ମାଓବାଦୀମାନେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରି ବିପୁଳ ଅସ୍ତ୍ରଶସ୍ତ୍ର ଓ ପୋଷାକ ଲୁଟି ନେଇଥିଲେ।