ଛତିଶଗଡ଼: ମାଓବାଦୀଙ୍କ ଧମକକୁ ବେଖାତିର, ୧ମ ପର୍ଯ୍ୟାୟରେ ୭୦% ଭୋଟ୍‌

ରାୟପୁର: ଘନଘନ ବିସ୍ଫୋରଣ ଓ ଗୁଳିମାଡ଼ ସତ୍ତ୍ୱେ ଛତିଶଗଡ଼ର ନକ୍ସଲପ୍ରବଣ ଅଞ୍ଚଳରେ ଥିବା ୧୮ଟି ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ନକ୍ସଲଙ୍କ ଧମକକୁ ଖାତିର ନ କରି ବିପୁଳ ସଂଖ୍ୟାରେ ଲୋକ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୭୦% ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ତେବେ ଆଉ କିଛି ସ୍ଥାନର ଭୋଟିଂ ସଂଖ୍ୟା ଜଣାପଡ଼ି ନଥିବାରୁ ମତଦାନ ପ୍ରତିଶତ ବୃଦ୍ଧି ପାଇବ ବୋଲି ନିର୍ବାଚନ କମିଶନର ଉମେଶ ସିହ୍ନା ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଆଜି ମତଦାନ ସମୟରେ ବିଜାପୁର ଓ ଦାନ୍ତେୱାଡ଼ାରେ ଲାଲ ତାଣ୍ଡବ ଦେଖିବାକୁ ମିଳିଥିଲା। ବିଜାପୁରର ମାଜିଗୁଡ଼ାରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୫ ଜଣ କୋବ୍ରା ଯବାନ ଗୁରୁତର ଆହତ ହୋଇଥିବା ବେଳେ ପାଲଟା ଆକ୍ରମଣରେ ୫ ଜଣ ନକ୍ସଲ ନିହତ ହୋଇଛନ୍ତି।

ମାଓବାଦୀମାନେ ଲୋକଙ୍କୁ ଏହି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାଗ ନ ନେବାକୁ ବାରଣ କରିଥିଲେ। ତେବେ ଭୋଟରମାନେ ମାଓବାଦୀଙ୍କ ଆକ୍ରମଣ ଓ ଧମକକୁ ଫୁ କରିଦେଇଛନ୍ତି।

ଦାନ୍ତେଓ୍ୱାଡ଼ା, ସୁକମା, ରାଜନନ୍ଦଗାଓଁ, ମୋତିପୁର, ବିଜାପୁର ଭଳି ନକ୍ସଲପ୍ରବଣ ଅଞ୍ଚଳରେ ଭୋଟର୍‌ମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ମାନେ ମଧ୍ୟ ନିଜର ଟ୍ରାଇସାଇକେଲକୁ ନେଇ ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚି ନିଜର ଅଧିକାର ସାବ୍ୟସ୍ତ କରିଥିଲେ।

ଏଥିପାଇଁ ସୁରକ୍ଷା କର୍ମୀମାନେ ଭୋଟରଙ୍କୁ ସମସ୍ତଙ୍କ ପ୍ରକାରର ସହଯୋଗ ଯୋଗାଇ ଦେଇଥିଲେ। ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ପ୍ରାୟ ୧ ଲକ୍ଷ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିଲେ। ସେହିପରି ଅଧିକାଂଶ ବୁଥକୁ ସିସିଟିଭି କ୍ୟାମେରା ନଜରରେ ରଖାଯାଇଥିଲା।