ଗୋ-ମାଂସ ବିବାଦରେ କୁକୁଡ଼ା ମାଂସର ଭାଉ : ଦର ଆକାଶ ଛୁଆଁ

ଲକ୍ଷ୍ନୌ:ଗୋ-ମାଂସ ବିବାଦରେ ଚିକେନ ବ୍ୟବସାୟୀଙ୍କୁ ଫାଇଦା। ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଚିକେନର ଦର  ଅଚାନକ  ବୃଦ୍ଧି  ପାଇଛି। ପୂର୍ବ ଦରଠାରୁ ୨୦ରୁ ୩୦ ପ୍ରତିଶତ ବୃଦ୍ଧି ହୋଇଥିବା ଆସୋସିଏଟେଡ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ ଇଣ୍ଡିଆ (ଏସସଓସିଏଚଏମ) ପକ୍ଷରୁ କୁହାଯାଇଛି।  ମିଳିଥିବା ସୂଚନା ଅନୁଯାୟୀ ୨୦୧୩ରୁ ୨୦୧୪ ମଧ୍ୟରେ  ଗୋ-ମାଂସ ତୁଳନାରେ ଚିକେନର ଦର ଦ୍ରୁତ ଗତିରେ ହ୍ରାସ ପାଇଥିଲା। ଏହି ସମୟ ସୀମା ମଧ୍ୟରେ ମଇଁଷି ଏବଂ ଗୋମାଂସ ଉପରେ ହୋଲ୍‌ସେଲ୍‌ ପ୍ରାଇସ ୧୦ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ପଲଟ୍ରି ହୋଲ୍‌ସେଲ୍‌ ଦର ୯ ପ୍ରତିଶତ  ଖସିଯାଇଥିଲା।

ତେବେ ୨୦୧୪ରେ ନୂଆ  ସରକାର ଆସିବା ପରେ ବେଆଇନ କଂସେଇଖାନା ଉପରେ ରୋକ୍‌ ଲାଗାଯିବା ଏବଂ ଗୋ-ହତ୍ୟା ନିଷେଧ ଆଇନକୁ କଡ଼ାକଡ଼ି ପାଳନ ପାଇଁ କଥା ଉଠିବା ପରେ ଏହାର ପ୍ରଭାବ ଚିକେନ ଉପରେ ପଡ଼ିଛି। କାରଣ ୨୦୧୪ରୁ ୨୦୧୭ ମଧ୍ୟରେ ପଲଟ୍ରି ହୋଲ୍‌ସେଲ୍‌ ଦର ୨୨ ପ୍ରତିଶତ ବୃଦ୍ଧ ପାଇଥିବା ବେଳେ ମଇଁଷି ଏବଂ ଗୋ-ମାଂସ ଉପରେ ୩ ପ୍ରତିଶତ ଦର ଖସିଯାଇଛି। ବିଶେଷ କରି ଆନ୍ଧ୍ରପ୍ରଦେଶ, ହରିୟାନା, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର , ପଞ୍ଜାବ, ତାମିଲନାଡ଼ୁ , ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶରେ ଗୋ ମାଂସର ଚାହିଦା ଅଧିକ ଥାଏ।

ହେଲେ ବେଆଇନ କଂସେଇଖାନା ଉପରେ କଟକଣା ଜାରି କରାଯିବାରୁ ଏସବୁ ରାଜ୍ୟରେ ଗୋ-ମାଂସ ଯୋଗାଣ କମିଯାଇଛି। ତେବେ ଏହା ବଦଳରେ ଚିକେନର ଚାହିଦା ବୃଦ୍ଧି ପାଇଥିବାରୁ ଦର ମଧ୍ୟ ବୃଦ୍ଧି ପାଇଥିବା ଏସସଓସିଏଚଏମ ପକ୍ଷରୁ କୁହାଯାଇଛି।

ସୌଜନ୍ୟ ଟାଇମ୍‌ସ୍‌ ଅଫ ଇଣ୍ଡିଆ