ଚେନ୍ନାଇ ବିମାନ ବନ୍ଦରରୁ ଚିଦାମ୍ବରମଙ୍କ ପୁଅକୁ ଗିରଫ କଲା ସିବିଆଇ

ଚେନ୍ନାଇ: ଆଇଏନଏକ୍ସ ମିଡିଆ ମନି ଲଣ୍ଡ୍ରିଂ ମାମଲାରେ ସିବିଆଇ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ଗିରଫ କରିଛି। ଲଣ୍ଡନରୁ ଫେରୁଥିବା ବେଳେ ଚେନ୍ନାଇ ବିମାନ ବନ୍ଦରରୁ କାର୍ତ୍ତିଙ୍କୁ ଗିରଫ କରିଛି ସିବିଆଇ।  ସୂଚନା ଅନୁଯାୟୀ କାର୍ତ୍ତିଙ୍କୁ ବିମାନ ବନ୍ଦରରେ ସିବିଆଇ ପଚରାଉଚରା କରୁଛି। ଏହାପରେ ତାଙ୍କୁ ଦିଲ୍ଲୀ ନିଆଯିବ ବୋଲି ଜଣାପଡ଼ିଛି।

କାର୍ତ୍ତି ଆଇଏନଏକ୍ସ ମିଡିଆଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ରହିଛି। ଗତ ୧୬ ତାରିଖରେ କାର୍ତ୍ତିଙ୍କ ଚାର୍ଟାଡ ଆକାଉଣ୍ଟାଣ୍ଟ ଏସ୍. ଭାସ୍କରରମଣଙ୍କୁ ଦିଲ୍ଲୀର ଏକ ହୋଟେଲରୁ ଗିରଫ କରିଥିଲା ସିବିଆଇ। ୩୦୦ କୋଟି ଟଙ୍କାର ବିଦେଶୀ ପୁଞ୍ଜି ହାତେଇବା ପାଇଁ ଆଇଏନଏକ୍ସ ମିଡିଆ ବିରୋଧରେ ଅନିୟମିତତା ଅଭିଯୋଗ ଆସିଥିଲା। ଏଥିରେ କାର୍ତ୍ତି ଆଇଏନଏକ୍ସ ମିଡିଆକୁ ସହାୟତା କରିଥିଲେ। ଏଥିପାଇଁ ଆଇଏନଏକ୍ସ ମିଡିଆ ତାଙ୍କୁ ୧୦ ଲକ୍ଷ ଟଙ୍କ ଲାଞ୍ଚ ଦେଇଥିଲା। ୨୦୦୭ରେ ହୋଇଥିବା ଏହି ଅନିୟମିତତା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ଥିଲେ ପି. ଚିଦାମ୍ବରମ। ତେଣୁ ବାପାଙ୍କ କ୍ଷମତା ଓ ପଦର କାର୍ତ୍ତି ଫାଇଦା ଉଠାଇଥିବା ଅଭିଯୋଗ ହୋଇଥିଲା। ଗତବର୍ଷ ମେ ମାସରେ ପ୍ରଥମେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ତ୍ତିଙ୍କ ବିରୋଧରେ ମାମଲା ଦାଏର କରିଥିଲା। ଏହାପରେ ସିବିଆଇ ମଧ୍ୟ କାର୍ତ୍ତିଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କରିଥିଲା।