ନିଆରା ଢଙ୍ଗରେ ପ୍ରତିବାଦ: ସଚିବାଳୟକୁ ସାଇକେଲ୍‌ରେ ଆସିଲେ ଚନ୍ଦ୍ରବାବୁ ନାଇଡୁ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ଟିଡିପି ସାଂସଦଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନର ଶେଷ ଦିନରେ ବି ସାଂସଦମାନେ ବିରୋଧ ଜାରି ରଖିଥିଲେ। ଗୃହ ବାହାରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଟିଡିପି ସାଂସଦମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ତେବେ ଟିଡିପି ସୁପ୍ରିମୋ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଆଜି ନିଆରା ଢଙ୍ଗରେ ବିରୋଧ ପ୍ରଦର୍ଶନ କରିଥିଲେ। ଅମରାବତୀ ବାସଭବନରୁ ସଚିବାଳୟକୁ ସାଇକେଲ୍ ଯୋଗେ ଯାଇଥିଲେ ଚନ୍ଦ୍ରବାବୁ ନାଇଡୁ। କେନ୍ଦ୍ର ସରକାରଙ୍କ ବିରୋଧରେ ଚନ୍ଦ୍ରବାବୁ ନାଇଡୁ ଗତ କିଛି ଦିନ ଧରି ବିରୋଧ କରି ଆସୁଛନ୍ତି।

ଚଳିତ ବଜେଟ୍‌ରେ ଆନ୍ଧ୍ରକୁ କୌଣସି ସ୍ୱତନ୍ତ୍ର ପ୍ୟାକେଜ୍ କିମ୍ବା ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିନଥିବା ଯୋଗୁଁ କେନ୍ଦ୍ର ବିରୋଧୀ ଅଭିଯାନ ଆରମ୍ଭ କରିଛି ଟିଡିପି। ସେହିପରି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦାବିରେ ଇସ୍ତଫା ଦେଇଛନ୍ତି ୫ ଜଣ YSR କଂଗ୍ରେସ ସାଂସଦ। ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଏନେଇ ଇସ୍ତଫା ପତ୍ର ପଠାଇଛନ୍ତି ୫ ଜଣ ସାଂସଦ।