ଗ୍ରେଟାଙ୍କୁ ‘ଟାଇମ୍‌ ପର୍ସନ ଅଫ୍‌ ଦି ଇୟର’, କ୍ଷୋଭ ପ୍ରକାଶ କଲେ ଟ୍ରମ୍ପ

ନୂଆଦିଲ୍ଲୀ: ୨୦୧୯ ବର୍ଷ ପାଇଁ ପ୍ରସିଦ୍ଧ ପତ୍ରିକା ‘ଟାଇମ୍‌’ କୁନି ପରିବେଶବିତ୍‌ ଗ୍ରେଟା ଥନ୍‌ବର୍ଗଙ୍କୁ ‘ପର୍ସନ ଅଫ୍‌ ଦି ଇୟର’ ଘୋଷଣା କରିଛି। ଗ୍ରେଟାଙ୍କ ଏହି ସଫଳତା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହଜମ ହୋଇନି। ଜଳାବାୟୁ ପରିବର୍ତ୍ତନ ବାବଦରେ ସଚେତନ କରାଉଥିବା ଏବଂ ବିଭିନ୍ନ ରାଷ୍ଟ୍ରନେତାଙ୍କୁ ଟାର୍ଗେଟ୍‌ କରୁଥିବା ଗ୍ରେଟାଙ୍କୁ ପରିହାସ ଛଳରେ ଉପଦେଶ ଦେଇଛନ୍ତି, ନିଜ କ୍ରୋଧ କେମିତି ନିୟନ୍ତ୍ରଣ କରିବ ତା’ ଉପରେ କାମ କର।

ଡିସେମ୍ବର ୧୧ ତାରିଖରେ ଏହି ସମ୍ମାନ ବାବଦରେ ଘୋଷଣା ହୋଇଥିଲା। ଏହାପରେ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଥିଲା। ଆମେରିକାର ଜଣେ ଲେଖକ ରୋମା ଡାଉନି ମଧ୍ୟ ଏହି ସମ୍ମାନ ପାଇଁ ଗ୍ରେଟାଙ୍କୁ ଅଭିନନ୍ଦନ ଜଣାଇଥିଲେ।

ତେବେ ରୋମାଙ୍କ ଅଭିନନ୍ଦନ ଟ୍ୱିଟ୍‌କୁ ରିଟ୍ୱିଟ୍‌ କରି ଟ୍ରମ୍ପ ଲେଖିଥିଲେ, “ଅତି କଦର୍ଯ୍ୟ। ଗ୍ରେଟା ପ୍ରଥମେ ନିଜ କ୍ରୋଧ ନିୟନ୍ତ୍ରଣ କରିବା ଉପରେ କାମ କରିବା ଦରକାର। ଏହା ପରେ ଜଣେ ସାଙ୍ଗ ସହ ପୁରୁଣାକାଳିଆ ଫିଲ୍ମ ଦେଖିବାକୁ ଯିବା କଥା। ଚିଲ୍‌ ଗ୍ରେଟା ଚିଲ୍‌।”

ଦୁହିଁଙ୍କ ମଧ୍ୟରେ ଏପରି ତୁତୁ ମେଁ ମେଁ ଆଜି କାଲିର ନୁହେଁ । ୧୬ ବର୍ଷ ବୟସ୍କ ସ୍ୱେଡିସ୍‌ ଝିଅ ଗ୍ରେଟା ଥରେ ଜାତିସଂଘର ୨୦୧୯ କ୍ଲାଇମେଟ୍‌ ଆକ୍ସନ୍‌ ସମ୍ମିଳନୀରେ ଯୋଗଦେବାକୁ ଆସିଥିଲେ। ଏଥିରେ ଟ୍ରମ୍ପଙ୍କ ସମେତ ବଡ଼ ବଡ଼ ରାଷ୍ଟ୍ରର ମୁଖ୍ୟ ଯୋଗ୍ୟ ଦେଇଥିଲେ। ଜଳବାୟୁ ପରିବର୍ତ୍ତନକୁ ନେଇ ବେଶି ଚିନ୍ତାଶୀଳ ନଥିବା ଏବଂ ଏଥିପାଇଁ ଅନ୍ୟ ରାଷ୍ଟ୍ରକୁ ଦାୟୀ କରିଆସୁଥିବା ଟ୍ରମ୍ପଙ୍କ ଉପସ୍ଥିତି ଗ୍ରେଟାଙ୍କୁ ସମ୍ଭବତଃ ଗ୍ରହଣୀୟ ନଥିଲା।

ସେ ଭାଷଣ ଦେବା ପରେ ତାଙ୍କ ଡାହାଣ ପାର୍ଶ୍ୱରେ ଯାଉଥିବା ଟ୍ରମ୍ପଙ୍କୁ ଏଭଳି ଭାବେ ଅନାଇଥିଲେ। ମୁହଁଟି ସ୍ୱାଭାବିକ ଭାବେ ପିଲାଳିଆ ଥିଲେ ମଧ୍ୟ ଏହି ଲୁକ୍‌ ବଡ଼ ବଡ଼ ଲୋକଙ୍କ ମନକୁ ଛୁଇଁଯାଇଥିଲା। ଜଳବାୟୁ ପରିବର୍ତ୍ତନ ପାଇଁ ସାରା ବିଶ୍ୱକୁ ଚେତାଇ ଦେଇଥିବା ଗ୍ରେଟାଙ୍କର ଏହି କଟମଟ ଲୁକ୍‌ ବିକାଶ ନାମରେ କଙ୍କ୍ରିଟ୍‌ ଜଙ୍ଗଲର ସମର୍ଥକଙ୍କ ପ୍ରତି ଚେତାବନୀ ବୋଲି ଲୋକେ ମତ ରଖିବା ଆରମ୍ଭ କରିଥିଲେ।