ଘନଉଛି ମାଳଦୀପ ସଙ୍କଟ: ସେନା ପଠାଇବାକୁ ଭାରତ ପ୍ରସ୍ତୁତ, ଚିନ୍ତାରେ ଚୀନ୍‌

ନୂଆଦିଲ୍ଲୀ: ମାଳଦୀପ ରାଷ୍ଟ୍ରପତି ଅବଦୁଲ୍ଲା ୟାମିନ ଜରୁରୀ ପରିସ୍ଥିତି ଘୋଷଣା କରିବା ପରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି, ବିଚାରପତିଙ୍କ ସମେତ ପୂର୍ବତନ ରାଷ୍ଟପତିଙ୍କୁ ଗିରଫ କରି ନିଆଯାଇଛି। ଏହା ମାଳଦୀପରେ ଲାଗି ରହିଥିବା ରାଜନୈତିକ ସଙ୍କଟକୁ ଆହୁରି ବଢ଼ାଇ ଦେଇଛି। ଏପରି ସ୍ଥିତିରେ ବିପକ୍ଷ ଦଳ ଓ ସୁପ୍ରିମକୋର୍ଟ ପକ୍ଷରୁ ଭାରତ ସରକାରଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରାଯାଇଛି। ଯାହା ଚୀନ୍‌ର ଚିନ୍ତାକୁ ବଢ଼ାଇ ଦେଇଛି।

ଶୁଣିବାକୁ ମିଳୁଛି ଭାରତ ସରକାର ମାଳଦୀପକୁ ସେନା ପଠାଇ ଦେଖା ଦେଇଥିବା ସଙ୍କଟ ସମାଧାନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ସରକାରୀ ସ୍ତରରେ ଏପରି କୌଣସି ଘୋଷଣା କରାଯାଇ ନଥିଲେ ବି ଏପରି ଶୁଣାଯିବା ପରେ ଚୀନ୍‌ର ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଇଛି। ମାଳଦୀପରେ ଦେଖା ଦେଇଥିବା ସଙ୍କଟକୁ ଦେଶର ଶାସକ ଓ ବିପକ୍ଷ ଦଳ ଆଲୋଚନା ମାଧ୍ୟମରେ ସମାଧାନ କରନ୍ତୁ ବୋଲି ଚୀନ୍‌ ବିଦେଶ ମନ୍ତ୍ରାଳୟ ପକ୍ଷରୁ ସଫେଇ ଦିଆଯାଇଛି। ଏହି ଘଟଣାରେ ଅନ୍ୟ କୌଣସି ପକ୍ଷ (ଭାରତ) ହସ୍ତକ୍ଷେପ ନ କରିବା ଉଚିତ ବୋଲି ଚୀନ୍‌ ପକ୍ଷରୁ କୁହାଯାଇଛି।

କାହିଁକି ବିକଳ ହେଉଛି ଚୀନ

ମାଳଦୀପରେ ରାଜନୈତିକ ସଙ୍କଟରେ ପୂର୍ଣ୍ଣେଚ୍ଛେଦ ପକାଇବାକୁ ବିରୋଧୀ ପକ୍ଷ ଭାରତ ସରକାରଙ୍କୁ ଅନୁରୋଧ କରିବା ପରେ ଚୀନ୍‌ ବିକଳ ହେବା ସ୍ୱଭାବିକ। କାରଣ ମାଳଦୀପ ଓ ଭାରତ ଭଲ ପଡ଼ୋଶୀ। ଏହାସହ ଭାରତର ସମ୍ପର୍କ ଦକ୍ଷିଣ ଏସିୟ ରାଷ୍ଟ୍ରଙ୍କ ସହ ଦିନକୁ ଦିନ ଘନିଷ୍ଠ ହେବାରେ ଲାଗିଛି। ଯାହା ଚୀନ୍‌ ସହି ପାରୁନାହିଁ।

ଚୀନ୍‌ ଚିନ୍ତାର ଆଉ ଏକ କାରଣ ହେଲା ବର୍ତ୍ତମାନର ରାଷ୍ଟ୍ରପତିଙ୍କ ସହ ଚୀନ୍‌ ମୁକ୍ତ ବାଣିଜ୍ୟର ଚୁକ୍ତି ସ୍ୱାକ୍ଷର କରିଛି। ମାଳଦୀପ ସହ ଚୀନ୍‌ର ମଧ୍ୟ ସମ୍ପର୍କରେ ସୁଧାର ଆସିଛି। ଏପରି ସ୍ଥିତିରେ ଚୀନ୍‌ ଭାବୁଛି, ଯଦି ଭାରତ ସୈନ୍ୟବଳ ପଠାଇ ମାଳଦୀପ ସଙ୍କଟ ଦୂର କରେ ତେବେ ସେଠାରେ ସରକାର ଭାଙ୍ଗିଯିବ ଓ ବିପକ୍ଷ ଶାସନ ଗାଦିକୁ ଚାଲି ଆସିବେ। ଯେଉମାନେ ଚୀନ୍‌ ବଦଳରେ ଭାରତକୁ ନିଜର ଭଲ ବନ୍ଧୁ ବୋଲି ଭାବିଥାନ୍ତି।