ଆଶଙ୍କାରେ ଚୀନ୍‌: ଭାରତରେ ଥିବା ନିଜ ନାଗରିକଙ୍କୁ କହିଲା ସତର୍କ ରୁହ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଡୋକଲାମକୁ ନେଇ ଭାରତ ଓ ଚୀନ୍‌ ମଧ୍ୟରେ ୨ ମାସରୁ ଊର୍ଦ୍ଧ୍ୱ ହେବ ବିବାଦୀୟ ସ୍ଥିତି ଲାଗି ରହିଛି। ଭାରତକୁ ବାରମ୍ବାର ଯୁଦ୍ଧ ଧମକ ଦେଇ ଡରାଇବାକୁ ଚେଷ୍ଟା କରୁଛି। ହେଲେ ଏହାର ପ୍ରଭାବ ଭାରତ ଉପରେ କିଛି ପଡୁ ନଥିବାରୁ ଔଷଧ ବିକଳରେ ଟାଟିଆ କାମୁଡି ହେଉଛି। ଅନ୍ୟପକ୍ଷରେ ବିଶ୍ୱ ଦରବାରରେ ଭାରତ ପ୍ରତି ବଢି ଚାଲିଥିବା ସମର୍ଥନ ଚୀନ୍‌କୁ ଆତଙ୍କିତ କରିଦେଇଛି। ଏପରି ସ୍ଥିତିରେ ଭାରତରେ ଥିବା ନିଜ ଦେଶର ନାଗରିକଙ୍କୁ ସତର୍କ ରହିବାକୁ ଚୀନ୍‌ କହିଛି। ଚୀନ୍‌ ରାଷ୍ଟ୍ରଦୂତ ନିଜ ଦେଶର ନାଗରିକଙ୍କୁ ସୁରକ୍ଷା ଉପରେ ଧ୍ୟାନ ଦେବାକୁ କହିଛନ୍ତି। ଏହାସହ ପ୍ରକୃତିକ ବିପର୍ଯ୍ୟୟ ଓ ବେମାରୀରୁ ଦୂରେଇ ରହିବାକୁ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଡୋକଲାମ ବିବାଦ ପରଠାରୁ ଭାରତରେ ଥିବା ଚୀନ୍‌ ନାଗରିକଙ୍କୁ ଏପରି ସତର୍କ ପରାମର୍ଶ ଦୁଇଥର ଦିଆସରିଛି।

ଡୋକଲାମକୁ ନେଇ ଚୀନ୍‌ ଯୁଦ୍ଧ ଧମକ ଦେଉଥିବା ବେଳେ ଭାରତ ଏହାର ସମଧାନ କଥାବାର୍ତ୍ତା ଦ୍ୱାରା କରିବାକୁ କହୁଛି। କୂଟନୈତିକ ସ୍ତରରେ ଚାପ ପକାଇ ଭାରତକୁ ଦବାଇବାକୁ ଚେଷ୍ଟା କରି ବିଫଳ ହେବା ପରେ ଚୀନ୍‌ ପ୍ରତିଦିନ ନୂଆ ନୂଆ କଥା କହୁଛି।

ଆହୁରି ପଢ଼ନ୍ତୁ: ଚୀନ୍‌କୁ ଝଟକା: ଆମେରିକା ପରେ ଜାପାନ ମଧ୍ୟ ଭାରତକୁ ସମର୍ଥନ ଘୋଷଣା କଲା

ଭାରତ ସହ ଯୁଦ୍ଧ କଲେ ଦକ୍ଷିଣ କୋରିଆ ଓ ପାକିସ୍ତାନ ବ୍ୟତୀତ ଅନ୍ୟ କୌଣସି ଶକ୍ତିଶାଳୀ ରାଷ୍ଟ୍ରଙ୍କ ସମର୍ଥନ ମିଳିବ ନାହିଁ ବୋଲି ଚୀନ୍‌ ଜାଣି ସାରିଲାଣି। ଆମେରିକା ଓ ଜାପନ ଭାରତକୁ ଡୋକଲାମ ପଦକ୍ଷେପ ପାଇଁ ସମର୍ଥନ ଦେବା ସହ ସ୍ଥିତି ବଜାଇ ରଖିବାକୁ କହି ସାରିଛନ୍ତି। ବନ୍ଧୁ ରାଷ୍ଟ୍ର ରୁଷିଆ ଏହି ବିବାଦରେ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇ ନଥିଲେ ମଧ୍ୟ ଭାରତକୁ ସହଯୋଗର ହାତ ବଢାଇବ ବୋଲି ଆଶା କରାଯାଉଛି। ଏହାସହ ବ୍ରିଟେନ, ଫ୍ରାନ୍ସ ଓ ଜର୍ମାନ ବିଶ୍ୱ ଦରବାରରେ ସବୁବେଳେ ଭାରତକୁ ସମର୍ଥନ କରି ଆସିଛନ୍ତି। ଯୁଦ୍ଧ ହେଲେ ଏମାନଙ୍କ ସମର୍ଥନ ମଧ୍ୟ ଭାରତ ପାଇବ ବୋଲି ଆଶା କରାଯାଉଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଶ୍ୱ ମାନଚିତ୍ରରେ ଭାରତ ପ୍ରତି ବଢୁଥିବା ସମର୍ଥନ ଚୀନ୍‌କୁ ମଧ୍ୟ ଜଣା। ଏପରିସ୍ଥିତିରେ ଚୀନ୍‌ ଯୁଦ୍ଧର ଫମ୍ପା ଧମକ ଦେଉଛି। ଯୁଦ୍ଧ ମଇଦାନକୁ ଓହ୍ଲାଇଲେ ଫଳାଫଳ ଯାହା ବି ହେଉ ଭୟଙ୍କର ପରିମାଣ ଭୋଗିବ ବୋଲି ଚୀନ୍‌ ହୃଦୟଙ୍ଗମ କରି ସାରିଛି। ସେଥିପାଇଁ ତ ବନ୍ଧୁକ ଛାଡି ଚୀନ୍‌ ସୈନିକ ପଥର ଧରିଛନ୍ତି। ଗତ ୧୫ ତାରିଖରେ ସାରା ଭାରତ ସ୍ୱାଧୀନତା ଦିବସର ଖୁସିରେ ମସଗୁଲ ଥିବା ବେଳେ ଚୀନ୍‌ ସୈନିକ ସିକ୍କିମ ସୀମାର ଲଦାଖରେ ଥିବା ପୋଙ୍ଗୋଙ୍ଗ ହ୍ରଦର ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଭାରତୀୟ ସୈନିକଙ୍କଠାରୁ ଦୃଢ ଜବାବ ପାଇବା ପରେ ବନ୍ଧୁକ ଛାଡି ପଥର ମାଡ଼ କରିବା ଆରମ୍ଭ କରିଦେଇଥିଲେ।

ଆହୁରି ପଢ଼ନ୍ତୁ: ଯୁଦ୍ଧକୁ ଡରିଲାଣି କି ଚୀନ୍‌? ବୁଝି ସାରିଲାଣି ଭାରତ ସହିତ ଯୁଦ୍ଧ କଲେ ଖାଲି କ୍ଷତି ହିଁ କ୍ଷତି