ମୁଣ୍ଡ ନୁଆଁଇଲା ଚୀନ୍‌: ଡୋକଲାମରୁ ୧୦୦ ମିଟର ପଛକୁ ହଟିବାକୁ ରାଜି

ଶେଷରେ ପଛଘୁଞ୍ଚା ଦେଲା ଚୀନ୍। ଭାରତ ଆଗରେ ମୁଣ୍ଡ ନୁଆଁଇଲା। ଗତ ସାତ ସପ୍ତାହ ଧରି ବିବାଦୀୟ ଡୋକଲାମ ଅଞ୍ଚଳକୁ ନେଇ ଚୀନ୍ ଓ ଭାରତ ମୁହାଁମୁହିଁ ହୋଇଥିଲେ। କେବଳ ମୁହାଁମୁହିଁ ନୁହେଁ କଥା ଯୁଦ୍ଧ ପର୍ଯ୍ୟନ୍ତ ଯାଇଥିଲା। ବାରମ୍ୱାର ଯୁଦ୍ଧ ଧମକ ଦେଇ ଭାରତକୁ ଡରାଇବାକୁ ଚେଷ୍ଟା କରୁଥିଲା ଚୀନ୍। ହେଲେ ଚୀନ୍‌ର ଏପରି ଧମକ ଚାଇନା ମାଲ ପରି ବେଶିଦିନ ଚାଲୁ ନଥିବା ପ୍ରମାଣିତ ହୋଇଛି। କାରଣ ଗତକାଲି ପର୍ଯ୍ୟନ୍ତ ମୁହଁ ଫୁଟାଣି ମାରୁଥିବା ଚୀନ୍‌ ଭାରତର ଦମ୍ଭ ଓ କୁଟନୀତି ଆଗରେ ଏକ ପ୍ରକାର ହାର ମାନିଛି। ଏପରି କି ଡୋକଲାମ ଅଞ୍ଚଳରୁ ୧୦୦ ମିଟର ପଛକୁ ସୈନ୍ୟ ହଟାଇବାକୁ ଚୀନ୍‌ ରାଜି ହୋଇଛି। କିନ୍ତୁ ଚୀନ୍ ସେନାକୁ ଡୋକଲାମ ଅଞ୍ଚଳରୁ ୨୫୦ ମିଟର ପଛକୁ ହଟିଯିବାକୁ ଭାରତ କହିଛି। ଯେତେଦିନ ପର୍ଯ୍ୟନ୍ତ ଚୀନ୍‌ ସେନା ୨୫୦ ମିଟର ପଛକୁ ନ ହଟିଥିବ ଭାରତୀୟ ସେନା ହଟିବାର ପ୍ରଶ୍ନ ଉଠୁନାହିଁ ବୋଲି ଭାରତ ରୋକଠୋକ ଜଣାଇ ଦେଇଛି।

ଚୀନ୍‌ ସରକାର ମୁଣ୍ଡ ନୁଆଁ ସାରିଥିଲେ ମଧ୍ୟ ତାଙ୍କ ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମସ୍‌ ନିଜ ବକବାସରୁ କ୍ଷାନ୍ତ ହେଉନାହିଁ। ପ୍ରତିଦିନ ଏଥିରେ ଭାରତକୁ ଖୋଲାଖୋଲି ଯୁଦ୍ଧ ଧମକ ଦିଆଯାଇଛି। ଯଦି ଭାରତୀୟ ସେନା ବିବାଦୀୟ ଡୋକଲାମ ଅଞ୍ଚଳରୁ ପଛକୁ ନ ହଟେ, ତେବେ ଯୁଦ୍ଧ ପାଇଁ ଭାରତ କାଉଣ୍ଟଡାଉନ ଆରମ୍ଭ କରୁ ବୋଲି ଏହି ଖବରକାଗଜରେ ପ୍ରକାଶ ପାଇଛି। ଏପରିକି କାଶ୍ମୀର ଓ ଉତ୍ତରାଖଣ୍ଡରେ ଚୀନ୍ ସେନା ପ୍ରବେଶ କରିବ ବୋଲି ଚୀନ୍‌ର ଜଣେ ଉଚ୍ଚପଦସ୍ଥ ଅଧିକାରୀ କହିଛନ୍ତି।

ଡୋକଲାମ ସୀମାରୁ ଚୀନ୍ ସେନା ହଟିବାକୁ ରାଜି ହେବା ଭାରତକୁ ଆଶ୍ୱସ୍ତି କରିଛି। ହେଲେ ଅହଂକାରରେ ବୁଡି ରହିଥିବା ଚୀନ୍‌ର ଏପରି ୟୁଟର୍ଣ୍ଣ ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ଲୁଚି ନାହିଁ ତ ? ଚୀନ୍ ଡ୍ରାଗନ ବାହିନୀ ଡୋକଲାମ ଅଞ୍ଚଳରୁ ପଛକୁ ହଟିବାକୁ ରାଜି ହୋଇଛି ସତ। ମାତ୍ର ଏବେ ଏହି ବିବାଦୀୟ ଅଞ୍ଚଳରୁ ଏକ କିଲୋମିଟର ଦୂରରେ ୮୦୦ରୁ ଊର୍ଦ୍ଧ୍ୱ ସୈନ୍ୟଙ୍କ ରହିବା ପାଇଁ ୮୦ଟି ତମ୍ବୁ ଟଣା ଯାଇଛି। ଯାହା ଚୀନ୍‌ର ଦୋମୁହାଁ ନୀତିକୁ ଦର୍ଶାଉଛି। ଏବେ ବିବାଦୀୟ ଡୋକଲାମ ଅଞ୍ଚଳରେ ଭାରତର ୩୫୦ ଓ ଚୀନ୍‌ର ୩୦୦ରୁ ଊର୍ଦ୍ଧ୍ୱ ସୈନିକ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି।